ଓଡିଶା

odisha

ETV Bharat / state

ନାହିଁ ନାହିଁରେ ଚାଲିଛି କୁଅଁରପୁର ପ୍ରାଥମିକ ବିଦ୍ୟାଳୟ

ପାଖାପାଖି 50 ବର୍ଷର ବିଦ୍ୟାଳୟ । ହେଲେ ଏବେବି ନାହିଁ ଭଲ ଶ୍ରେଣୀଗୃହ । 1970 ମସିହାରେ ସ୍ଥାପିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର କୁଅଁରପୁର ପ୍ରାଥମିକ ବିଦ୍ୟାଳୟଟି ନାହିଁ ନାହିଁରେ ଚାଲିଛି କହିଲେ ଚଳେ ।

ଡିଜାଇନ ଫଟୋ

By

Published : Sep 4, 2019, 9:55 PM IST

କେନ୍ଦ୍ରାପଡା: ପାଖାପାଖି 50 ବର୍ଷର ବିଦ୍ୟାଳୟ । ହେଲେ ଏବେବି ନାହିଁ ଭଲ ଶ୍ରେଣୀଗୃହ । 1970 ମସିହାରେ ସ୍ଥାପିତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର କୁଅଁରପୁର ପ୍ରାଥମିକ ବିଦ୍ୟାଳୟଟି ନାହିଁ ନାହିଁରେ ଚାଲିଛି କହିଲେ ଚଳେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ 29 ଜଣ କୁନି କୁନି ପିଲା ପାଠ ପଢନ୍ତି। କିନ୍ତୁ ବିଦ୍ୟାଳୟର କଥା ନ କହିବା ଭଲ। ଶିକ୍ଷକ ଅଛନ୍ତି, ଛାତ୍ରଛାତ୍ରୀ ବି ଅଛନ୍ତି କିନ୍ତୁ ବିପଦସଙ୍କୁଳ ଅବସ୍ଥାରେ ପାଠ ପଢାଯାଉଛି । ଶ୍ରେଣୀଗୃହର କାନ୍ଥ ଫାଟି ଆଁ କରିଥିବାବେଳେ ଉପର ଆଜବେଷ୍ଟସ୍‌ ଭାଙ୍ଗି ଦିନରେ ସୂର୍ଯ୍ୟ ଦେଖୁଛନ୍ତି ପିଲାଏ । ଖରାଦିନେ ପେପର ଓ ବର୍ଷାଦିନେ ବାଲ୍ଟି, ମଗ ରଖି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ସେହିପରି ଶ୍ରେଣୀଗୃହ ପାଖରେ ରହିଛି ଦୁଇଟି ହୁଙ୍କା। ପାଠପଢା ଚାଲିଥିବା ସମୟରେ ଶ୍ରେଣୀଗୃହ ଭିତରକୁ ସାପ ପଶିଯିବା ବିଦ୍ୟାଳୟର ନିତିଦିନିଆ କଥା।

ସେହିପରି ବିଦ୍ୟାଳୟରେ ପାଞ୍ଚଟି ଶ୍ରେଣୀ ଦୁଇଟି ଗୃହରେ ଚାଲିଥିବାବେଳେ ବିଦ୍ୟାଳୟର ଅନ୍ୟ ସାମଗ୍ରୀ ମଧ୍ୟ ଶ୍ରେଣୀଗୃହ ଭିତରେ ରହିଛି। ତେବେ ଶ୍ରେଣୀଗୃହ ପରିସ୍ଥିତି ଏପରି ହୋଇଛି ଯେ କେତେବେଳେ ଆଜବେଷ୍ଟସ ଓ କାନ୍ଥ ପିଲାମାନଙ୍କ ଉପରେ ପଡିବ କେହି ବି କହିପାରିବେନି ।

ବିଦ୍ୟାଳୟର ଏପରି ପରିସ୍ଥିତି ନେଇ ବିଦ୍ୟାଳୟ ଓ ଅବିଭାବକଙ୍କ ପକ୍ଷରୁ ସବୁଠି କୁହାଯାଇଥିଲେ ବି କିଛି ଲାଭ ମିଳିନି । ସେପଟେ ୨୦୦୫-୦୬ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟକୁ ଘର ନିର୍ମାଣ ପାଇଁ ତିନିଲକ୍ଷ ଟଙ୍କା ଦିଆଯାଇଥିଲା କିନ୍ତୁ ବିଦ୍ୟାଳୟ ନାମରେ ଜମି ନଥିବାରୁ ଏହାର ନିର୍ମାଣ ହୋଇପାରିନଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରିଣୀ ।

ତଳୁ ଉପର ଯାଏ ଗୁହାରି ହୋଇଛି କିନ୍ତୁ କିଛି ଲାଭ ମିଳିନି। କିନ୍ତୁ ଏ ଦୃଶ୍ୟକୁ ଦେଖିଲା ପରେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଶିକ୍ଷା କ୍ଷେତ୍ରରେ ବିକାଶର ଯୋଜନା ଏଠି ପ୍ରହସନ ପାଲଟିଯାଇନି ତ?ଅପରପକ୍ଷରେ ଏନେଇ ଜିଲ୍ଲା ଶିକ୍ଷାଧିକାରିଣୀଙ୍କ କହିବାନୁଯାୟୀ ଗତ ୨୦୦୫-୦୬ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟର ଘର ନିର୍ମାଣ ପାଇଁ ତିନିଲକ୍ଷ ଟଙ୍କା ଦିଆଯାଇଥିଲା କିନ୍ତୁ ବିଦ୍ୟାଳୟ ନାମରେ ଜମି ନଥିବାରୁ ଏହାର ନିର୍ମାଣ ହୋଇପାରିନାହିଁ । ଗତ ଫନି ବାତ୍ୟାରେ ଏହି ବିଦ୍ୟାଳୟର ଆଜବେଷ୍ଟସ ଭାଙ୍ଗି ଯାଇଥିବା ବେଳେ ଏହାର ସବିଶେଷ ତଥ୍ୟ ଉପରିସ୍ଥ ଅଧିକାରୀଙ୍କୁ ଦିଆଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରିଣୀ।

ତେବେ ଦେଖାଯାଉ ଉନ୍ନତ ମାନର ଶ୍ରେଣୀଗୃହ ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନଜର ଏହି ବିଦ୍ୟାଳୟ ଉପରେ କେବେ ପଡୁଛି। ଅନ୍ୟପକ୍ଷରେ ବିଦ୍ୟାଳୟର ଯଦି ନିଜସ୍ବ ଜମି ନଥିଲା ତେବେ ଦୀର୍ଘ 50ବର୍ଷ ହେଲା ସେଠାରେ କିପରି ବିଦ୍ୟାଳୟ ଚାଲୁଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details