ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କ ନଜରରେ ଛତୁଆ ମିଶ୍ରଣ ପ୍ରକ୍ରିୟା, କୋକୁଆ ଭୟରେ ଖିଲାପକାରୀ

‘ସୁସ୍ଥ ମା’, ସୁସ୍ଥ ଶିଶୁ’ର ପରିକଳ୍ପନା ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନେକ ଯୋଜନା । ଯେଉଁଥିରୁ ଗୋଟିଏ ହେଉଛି ପ୍ରସୂତି ମହିଳା ଓ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୌଷ୍ଟିକ ଖାଦ୍ୟ ଛତୁଆ ଯୋଗାଇବା । ତେବେ କେମିତି ଚାଲିଛି ଛତୁଆ ମିଶ୍ରଣ ପ୍ରକ୍ରିୟା, ଦେଖନ୍ତୁ...

By

Published : Aug 26, 2019, 7:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ‘ସୁସ୍ଥ ମା’, ସୁସ୍ଥ ଶିଶୁ’ର ପରିକଳ୍ପନା ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅନେକ ଯୋଜନା । ଏହି ଯୋଜନା ଭିତରୁ ଗୋଟିଏ ହେଉଛି ରାଜ୍ୟର ପ୍ରତିଟି ପ୍ରସୂତି ମହିଳା ଓ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୌଷ୍ଟିକ ଖାଦ୍ୟ ଛତୁଆ ଯୋଗାଇବା । ତେବେ ଏହି ଛତୁଆକୁ ଅଧିକ ପୌଷ୍ଟିକ କରିବା ପାଇଁ ନିର୍ଦ୍ଧାରଣ କରାଯାଇଛି ଏଥିରେ ମିଶିବାକୁ ଥିବା ସାମଗ୍ରୀର ପରିମାଣ । ଯାହାକୁ ପ୍ରତିମାସ 23 ତାରିଖରେ ମିଶ୍ରଣ କରାଯିବାର ବ୍ୟବସ୍ଥା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ଯୋଜନା ଆଧାରରେ ଗତ 23 ତାରିଖରେ ସ୍ଥାନୀୟ ଅଞ୍ଚଳର ପ୍ରସୂତି ମହିଳା ଓ ଶିଶୁଙ୍କୁ ଛତୁଆ ଯୋଗାଇବାର ଦାୟିତ୍ବ ନେଇଛନ୍ତି ତ୍ରିନାଥ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ । କାରଣ ମହିଳାମାନେ ହିଁ ଆସନ୍ନ ପ୍ରସବା ମହିଳା ଓ ଶିଶୁଙ୍କ ପାଇଁ ଖାଦ୍ୟର ମହତ୍ତ୍ବକୁ ଭଲ ଭାବେ ବୁଝନ୍ତି । ତେବେ ଗତ 23 ତାରିଖରେ କରାଯାଇଥିବା ମିଶ୍ରଣ ପ୍ରକ୍ରିୟାକୁ ପ୍ରତ୍ୟେକ୍ଷ ଭାବେ ପରଖି ଥିଲେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ।

ହେଲେ ଉପଜିଲ୍ଲାପାଳଙ୍କ ଉପସ୍ଥିତି ସମୟରେ ଜାରି ହୋଇଥିବା ଗାଇଡଲାଇନ ଗୁଡିକରେ ଦେଖିବାକୁ ମିଳିଥିଲା କିଛି ବ୍ୟତିକ୍ରମ । ପ୍ରକାଶ ଯେ ବ୍ଲକର 25ଟି ପଞ୍ଚାୟତରେ ଥିବା ଅଙ୍ଗନବାଡି ଗୁଡିକୁ ଛତୁଆ ଯୋଗାଇବା ପାଇଁ ସରକାରୀ କାଗଜ କଲମରେ ତ୍ରିନାଥ ସ୍ବୟଂ ସହାୟକ ଗୋଷ୍ଠୀର 13 ଜଣ ମହିଳା ସଙ୍ଗଠିତ ହୋଇଥିଲେ । ରିପୋର୍ଟ ଅନୁଯାୟୀ ସେମାନେ ହିଁ ଛତୁଆ ପ୍ରସ୍ତୁତ କରୁଥିବା ଲେଖାଯାଇଥିବା ବେଳେ ବାସ୍ତବତା କିନ୍ତୁ କିଛି ଅଲଗା ଥିଲା ।

ଗୋଟିଏ ଛତୁଆ ପ୍ୟାକେଟରେ କେତେ ପରିମାଣର ଛତୁଆ ରହୁଛି ଓ ଏଥିରେ କେତେ ପରିମାଣର ସମସ୍ତ ସାମଗ୍ରୀ ମିଶୁଛି ତାହା ଏହି ମହିଳାମାନେ କହିବାକୁ ଅକ୍ଷମ । ଏଥିସହ ଛତୁଆ ପ୍ରସ୍ତୁତ ପ୍ରକ୍ରିୟା ମଧ୍ୟ କହିବାକୁ ସେମାନେ ଅସହଜ ମନେ କରିଥିଲେ । କେବଳ ସେତିକି ନୁହେଁ ଗାଇଡଲାଇନ ଅନୁଯାୟୀ ଛତୁଆ ପ୍ରସ୍ତୁତି ପ୍ରକ୍ରିୟାରେ ମହିଳାମାନେ ମୁହଁ ଓ ହାତ ଢାଙ୍କିବାର ନିୟମ ଥିବା ବେଳେ ଏହାକୁ ଉଲ୍ଲଙ୍ଗନ କରାଯାଇଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଯେ ଏକ କ୍ବିଣ୍ଟାଲ ଛତୁଆରେ 62 କିଗ୍ରା 500 ଗ୍ରାମ୍‌ ଗହମ, 15 କିଗ୍ରା 625 ଗ୍ରାମ୍‌ ଚିନି, 9 କିଗ୍ରା 675 ଗ୍ରାମ ବାଦାମ ସହ 12 କିଗ୍ରା 500 ଗ୍ରାମ ବୁଟ ରହିବା ନେଇ ଗାଇଡଲାଇନ ଜାରି କରାଯାଇଛି । କିନ୍ତୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏନେଇ କେତେ ସଜାଗ ତାହା ସେମାନଙ୍କ ହାବ ଭାବରୁ ସ୍ପଷ୍ଟ ବାରି ହେଉଥିଲା । ତେଣେ ମିଶ୍ରଣ ପ୍ରକ୍ରିୟା ସମୟରେ ଉପସ୍ଥିତ ମହିଳାମାନେ ଆଗରୁ କେବେ ଛତୁଆ ପ୍ରସ୍ତୁତ କରିନଥିବା ମଧ୍ୟ ଜଣା ପଡୁଥିଲା ।

ଗୋଟିଏ ପଟେ ଉପଜିଲ୍ଲାପାଳ ପହଞ୍ଚି ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମିଶ୍ରଣ ପ୍ରକ୍ରିୟା କରାଇଥିବା ବେଳେ ଅନ୍ୟପଟେ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଚଳାଇଛନ୍ତି ତତ୍ତ୍ବାବଧାନ । କଲେକ୍ଟରେଟ କେନ୍ଦ୍ରାପଡା ନାମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଲାଯାଉଥିବା ଏକ ଫେସବୁକ ଆାକାଉଣ୍ଟରେ ଜିଲ୍ଲାପାଳ ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ ଥିବା ଛତୁଆ ସେଣ୍ଟରଗୁଡିକ ବୁଲି ମିଶ୍ରଣ ଦେଖିଥିବା ଏକ ଫଟୋରୁ ଜଣା ପଡିଛି ।

ଏହି ଫଟୋରେ ଜିଲ୍ଲାରେ ଯଦି କେଉଁ ଯାଗାରେ ଛତୁଆ ମିଶ୍ରଣରେ ଅନିୟମିତତା ହୁଏ ତେବେ ଜିଲ୍ଲାପାଳଙ୍କୁ ପ୍ରମାଣ ସହ ଜଣାଇବା ପାଇଁ ଅନୁରୋଧ କରାଯାଇଛି । ଏଥିପାଇଁ ଏକ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି । ତେବେ ଜିଲ୍ଲାପାଳଙ୍କର ସୁସ୍ଥ ମା’ ଓ ସୁସ୍ଥ ଶିଶୁ ମିଶନ ପ୍ରତି ଆରମ୍ଭ ହୋଇଥିବା ସଜାଗ ଅଭିଯାନ ଅନିୟମିତକାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିବ ନିଶ୍ଚୟ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details