ଓଡିଶା

odisha

ETV Bharat / state

ପାଟକୁରାରେ ତ୍ରିମୁଖୀ ଲଢେଇ, ଜମୁଛି ନିର୍ବାଚନୀ ପ୍ରଚାର

ଆସନ୍ତା ୨୦ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ଉପରେ ସାରା ରାଜ୍ୟର ନଜର । ଏହିକ୍ରମରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳର ହେଭିୱେଟ ନେତା ପାଟକୁରାରେ ନିର୍ବାଚନୀ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ।

By

Published : Jul 14, 2019, 12:15 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଆସନ୍ତା ୨୦ତାରିଖରେ ପାଟକୁରା ବିଧାନସଭା ନିର୍ବାଚନ । ଆଉ ମାତ୍ର 7 ଦିନ ପରେ ନିଜ ମତାଧିକାର ସାବ୍ୟସ୍ତ କରିବେ ପାଟକୁରାବାସୀ । ଏହିକ୍ରମରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳର ହେଭିୱେଟ ନେତା ପହଞ୍ଚିଛନ୍ତି ପାଟକୁରାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପାଟକୁରା ଆସନ ପାଇଁ ଶାସକ ବିଜେଡିର ପ୍ରାର୍ଥିନୀ ଭାବେ ସାବିତ୍ରୀ ଅଗ୍ରୱାଲ ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କୁ ନିର୍ବାଚନୀ ବୈତରଣୀ ପାର କରାଇବାକୁ ଦଳର ପ୍ରାୟ ୩ ଡଜନରୁ ଅଧିକ ବିଧାୟକ ଓ ମନ୍ତ୍ରୀ ନିର୍ବାଚନୀ ପ୍ରଚାରରେ ନିୟୋଜିତ ହୋଇଛନ୍ତି । ସେହିପରି ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତର ୧୪୫ବୁଥ୍ ଟିମ୍ ଲିଡର ଭାବରେ ବିଧାୟକ ସଞ୍ଜୟ ଦାସବର୍ମା ଓ ମନ୍ତ୍ରୀ ଅରୁଣ ସାହୁ ରହିଥିବା ବେଳେ ତାଙ୍କ ସହିତ ମୋର୍ଚ୍ଚା ସମ୍ଭାଳିଛନ୍ତି ଦଳର ୧୩ଜଣ ଟାଣୁଆ ବିଧାୟକ ଓ ନେତା ।

ବିଜୁ ପଟ୍ଟନାୟକଙ୍କୁ ଲୋକେ ଭଲ ପାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଲୋକମାନେ ଭଲ ପାଉଛନ୍ତି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆମେ ସଙ୍ଗଠନକୁ ଦୃଢ କରିବା ସହ ଦଳୀୟ କାର୍ଯ୍ୟକ୍ରମ ଜାରି ରଖିଛୁ । ପାଟକୁରାବାସୀ ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲାଙ୍କୁ ଭୋଟ ଦେଇ ବିଜୟୀ କରିବେ ବୋଲି କହିଛନ୍ତି ବିଜେଡିର ବିଧାୟକ ଓ ମନ୍ତ୍ରୀ ।

ସୂଚନାନୁସାରେ, ଆସନ୍ତା ୧୭ ତାରିଖରେ ବିଜୟ ମହାପାତ୍ରଙ୍କ ବିରୋଧରେ ପ୍ରଚାର କରି ନିଜ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲାଙ୍କୁ ବିଜୟୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ କିଛି ଟାଣୁଆ ନେତାମାନେ ମଧ୍ୟ ପ୍ରଚାର କରିବାକୁ ପାଟକୁରାରେ ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭୃଗୁ ବକ୍ସିପାତ୍ର, କନକ ବର୍ଦ୍ଧନ ସିଂଦେଓ, ମନମୋହନ ସାମଲ୍‌ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରଚାର ଭାର କାନ୍ଧକୁ ନେଇଥିବା ବେଳେ ଆଜି ଡେରାବିଶ ବ୍ଲକ ଅଞ୍ଚଳରେ ଆୟୋଜିତ ରୋଡ ଶୋ' ରେ ଅପରାଜିତା ଷଡଙ୍ଗୀଙ୍କ ସହ ସାମିଲ ହୋଇ ପ୍ରଚାର କରିଛନ୍ତି । ପାଟକୁରାବାସୀ ସ୍ୱାଭିମାନୀ ।ଏଠାରେ ସାଧାରଣ ଲୋକଙ୍କ ସହିତ ବିଜେଡିର ଲଢେଇ ଚାଲିଛି । ତେଣୁ ପାଟକୁରାବାସୀ ବିଜେପିକୁ ବିପୁଳ ସଂଖ୍ୟାରେ ବିଜୟୀ କରିବେ ବୋଲି ବିଜୟ ମହାପାତ୍ରଙ୍କ ସହ ଅନ୍ୟ ବିଜେପି ନେତାମାନେ ପ୍ରତିକ୍ରିୟା ରଖିଛନ୍ତି ।

ସେପେଟ କଂଗ୍ରେସ ମଧ୍ୟ ଆଜି ଠାରୁ ତାର ଷ୍ଟାର ପ୍ରଚାରକଙ୍କୁ ଧରି ପ୍ରଚାର ମଇଦାନକୁ ଓହ୍ଲାଇ ଜୋରଦାର ପ୍ରଚାର ଆରମ୍ଭ କରିଛି । କଂଗ୍ରେସ ପାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ଆଜି ପିସିସି ସଭାପତି ନିରଞ୍ଜନ ପଟନାୟକ, ନରସିଂହ ମିଶ୍ର ଓ ସୁର ରାଉତରାୟ ବାଇକ ରାଲି କରି ଜନତାଙ୍କୁ ଭୋଟ ମାଗିଛନ୍ତି । ବିଜେଡି ଓ ବିଜେପି ଉଭୟ ମିଶି କଂଗ୍ରେସ ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି । କିନ୍ତୁ ପାଟକୁରାବାସୀ ପରିବର୍ତ୍ତନ ଚାହାନ୍ତି ତେଣୁ କଂଗ୍ରେସ ପ୍ରତି ତାଙ୍କର ସମର୍ଥନ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିପରି ଜୟନ୍ତ ମହାନ୍ତି ଏ ମାଟିର ପୁଅ, ମୋଦି ଓ ନବୀନ ସର୍ବଦା ଦୁଇ ହଜାରିଆ ନୋଟ ଦେଇ ଭୋଟ କିଣୁଥିବା ବେଳେ କଂଗ୍ରେସ ବିନା ଟଙ୍କାରେ ନିର୍ବାଚନ ଲଢ଼ି ବିପୁଳ ସଂଖ୍ୟାରେ ଲୋକଙ୍କ ସମର୍ଥନ ହାସଲ କରିବା ବୋଲି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details