କେନ୍ଦ୍ରାପଡ଼ା:ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ହତ୍ୟା ଘଟଣା । ଅଭିଯୁକ୍ତ ମ୍ୟାନେଜରକୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ ଏବଂ ଜମ୍ବୁ ସାମୁଦ୍ରିକ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରିର ମ୍ୟାନେଜର ପରମାନନ୍ଦ ମଳିକ । ପାଣି ମୁନ୍ଦାଏ ପାଇଁ ଏଭଳଇ ଜଘନ୍ୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଗତ 27 ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ମେରାଇନ ଥାନା ଅଧିନ ପିତାପାଟ ଗ୍ରାମର ସିମେଣ୍ଟ ଇଟା ମାଲିକ ଦିନେଶ ବଇଦଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପିରହାଟ ଥାନା ତଳଦପା ଗ୍ରାମର ପରମାନନ୍ଦ ମଳିକ ଦୁଇମାସ ହେବ ଦିନେଶ ବୈଦଙ୍କ ସିମେଣ୍ଟ ଇଟା କାରଖାନାରେ ମ୍ୟାନେଜର ଭାବେ କାମ କରୁଥିଲା । ଗତ ରବିବାର ରାତିରେ ଦିନେଶ ଓ ପରମାନନ୍ଦ ଭୋଜି କରିବା ସହିତ ପ୍ରଚୁର ମଦ୍ୟପାନ କରିଥିଲେ । ତେବେ ନିଶାସକ୍ତ ଅବସ୍ଥାରେ ଦିନେଶ ପିଇବା ପାଇଁ ପରମାନନ୍ଦକୁ ପାଣି ମାଗିଥିବା ବେଳେ ପରମାନନ୍ଦ ମନା କରି ଦେଇଥିଲେ । ଫଳରେ ପରମାନନ୍ଦକୁ ଦିନେଶ ଦୁଇ ଚାପୁଡା ମାରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ପରମାନନ୍ଦ ପାଖ ଘରକୁ ଯାଇ ଏକ ଶାବଳ ଆଣିଥିଲା ଏବଂ ଦିନେଶ ମୁଣ୍ଡରେ ଶକ୍ତ ପାହାର ମାରିଥିଲା । ଦିନେଶ ଜୀବନ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ଶାବଳରେ ଆଉ ଦୁଇ ପାହାର ପକାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦିନେଶଙ୍କ ମୃତ୍ୟୁ ହୋଇଥିଲା ।