କେନ୍ଦ୍ରାପଡ଼ା : ରାସ୍ତା ନଥିବାରୁ ହଟହଟା ହେଲେ ରୋଗୀ ଓ ସମ୍ପର୍କୀୟ । ମାନବିକତା ଦେଖାଇଲେ ବୋଟ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡ଼ା ମହାକାଳପଡା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆ ଗ୍ରାମର ୮ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।
ରୋଗୀଙ୍କୁ ୧ କିମି କାନ୍ଧରେ ବୋହିଲେ ବୋଟ ଆମ୍ବୁଲାନ୍ସ କର୍ମଚାରୀ ସୂଚନାନୁଯାୟୀ, ଏହି ୱାର୍ଡର ତାପସ ଭଞ୍ଜଙ୍କ ପତ୍ନୀ ମମତାଙ୍କୁ ଗତ ୨ ଦିନ ହେବ ଜ୍ବର ହୋଇଥିଲା । ଜ୍ବରରେ ପୀଡ଼ିତ ହୋଇ ହଠାତ ତାଙ୍କର ଦେହ ଗୁରୁତର ହୋଇ ପଡିବାରୁ ତାପସ ୧୦୮ ବୋଟ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ । ଏହାପରେ ବୋଟ ଆମ୍ବୁଲାନ୍ସ ନଦୀପଥରେ ଯାଇ ତାପସଙ୍କ ଘର ନିକଟରୁ ପ୍ରାୟ ୧ କିଲୋମିଟର ଦୂର ଜେନା ଘାଟରେ ରହିଥିଲା । ଭୌଗୋଳିକ ଦୃଷ୍ଟି କୋଣରୁ ବତୀଘର ପଞ୍ଚାୟତ ନଦୀନାଳ ଘେରା ଅଞ୍ଚଳ । ଗୋଟିଏ ପଟରେ ସମୁଦ୍ର ରହିଥିବାରୁ ଏହି ବତୀଘର ପଞ୍ଚାୟତ ଏକ ଦ୍ବୀପାଞ୍ଚଳ ଭଳି । ତେବେ ଆଜି ସକାଳେ ବର୍ଷା ହେବାରୁ ରାସ୍ତାଟି ପୁରା କାଦୁଅମୟ ହୋଇଯାଇଥିଲା । ଯାହାଫଳରେ ରୋଗୀଙ୍କୁ ମୁଖ୍ୟ ସଡ଼କକୁ ନେବା ସମ୍ଭବ ନଥିଲା । ଏହାଦେଖି ବୋଟ ଆମ୍ବୁଲାନ୍ସ କର୍ମଚାରୀ ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି କାଦୁଅ ଭିତରେ ପଶି ହସ୍ପିଟାଲ ନେଇଥିଲେ ।
୧୦୮ ବୋଟ ଆମ୍ବୁଲାନ୍ସର କର୍ମଚାରୀଙ୍କ ମଣିଷ ପଣିଆ ପାଇଁ ଠିକ୍ ସମୟରେ ମେଡିକାଲ ପହଞ୍ଚି ପାରିଛି ଜଣେ ଗୁରୁତର ରୋଗୀ । ବୋଟ ଆମ୍ବୁଲାନ୍ସର କର୍ମଚାରୀଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ । ସୂଚନାନୁସାରେ ସ୍ବାଧୀନତାର ୭୫ ବର୍ଷ ପରେ ବି ନିପାଣିଆ ଗ୍ରାମର ୮ ନମ୍ବର ୱାର୍ଡକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ଜରୁରୀକାଳିନ ପରିସ୍ଥିିତିରେ ନାହିଁନଥିବା ଅସୁବିଧା ଭୋଗନ୍ତି ସ୍ଥାନୀୟ ବାସିନ୍ଦା । ଏଠାରେ ସାମାନ୍ୟ ବର୍ଷା ହେଲେ ଯାତାୟତ ପୁରା ଠପ ହୋଇଯାଏ ।
କାଦୁଅ ପଚପଚ ହୋଇଯାଏ ପୁରା ଗାଁ । ପାଦରେ ଚାଲିକି ଯିବା ବି ସମ୍ଭବ ନୁହେଁ । ଖାଲି ସେତିକି ନୁହେଁ ଏଠାରେ କେହି ରୋଗାଗ୍ରସ୍ତ ହେଲେ ତାଙ୍କୁ ମଧ୍ୟ ଡାକ୍ତରଖାନା ନେବା କାଠିକର ପାଠ ହୋଇପଡ଼େ । ତେଣୁ ଗାଁକୁ ଯାତାୟତ ପାଇଁ ଭଲ ରାସ୍ତାଟିଏ କରିବା ପାଇଁ ପଞ୍ଚାୟତବାସୀ ଅନେକ ନେତା, ରାଜନେତାଙ୍କ ପାଖରେ ଗୁହାରି କରିଲେଣି । ନିର୍ବାଚନ ଆସିଲେ ନେତାଏ ପ୍ରତିଶୃତି ଦେଇଥାନ୍ତି । ହେଲେ ସମସ୍ୟାର ସମାଧାନ ହେଉ ନଥିବା ଅଭିଯୋଗ ହୋଇଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା