କେନ୍ଦ୍ରପଡା: ଭତ୍ତା ବଣ୍ଟନ ମେଳାରେ ବିଧାୟିକାଙ୍କ ପୁଅଙ୍କ ବିରାଟ ଫଟୋ ରଖି ପ୍ରଚାର ବିରୋଧରେ ପାଟକୁରା ଥାନାରେ ଏତଲା ଦେଲା ବିଜେପି । ଲୋକଙ୍କ ଝାଳବୁହା ସରକାରୀ ଟଙ୍କାରେ ବିଧାୟିକାଙ୍କ ପୁଅଙ୍କ ପାଇଁ ପ୍ରଚାର କରିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ତେଜେଶ୍ଵର ପରିଡା । ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା ଅଭିଯୋଗ ଅନୁଯାୟୀ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୌଣସି ସରକାରୀ ପଦପଦବୀରେ ନାହାନ୍ତି । ତେବେ ସରକାରୀ କାର୍ଯ୍ୟକ୍ରମ ବ୍ୟାନରରେ ସଞ୍ଜୟ ଅଗ୍ରୱାଲଙ୍କ ଫଟୋ କାହିଁକି ଲଗାଯାଇଛି ? ମାର୍ଶାଘାଇ ବ୍ଲକର ୭ଟି ପଞ୍ଚାୟତ ପାଇଁ ମେହେନ୍ଦିନଗର ପଞ୍ଚାୟତ କାର୍ଯ୍ୟାଳୟରେ ଗତ ୧୭ ଅଗଷ୍ଟ (ଗୁରୁବାର) ଦିନ ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ଭତ୍ତା ବଣ୍ଟନ ମେଳାରେ ସଞ୍ଜୟ ଆଗ୍ରୱାଲଙ୍କ ଫଟୋ ଲାଗିଥିଲା ।
ମଧୁବାବୁ ପେନସନ ଯୋଜନାରେ ଭ୍ରଷ୍ଟାଚାର ହୋଇ ଏଭଳି ସରକାରୀ ଟଙ୍କାରେ ପରିବାରବାଦ ରାଜନୀତିର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରିଛି ବିଜେପି । ଭତ୍ତା ବଣ୍ଟନ ମେଳା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାକୁ ଏକ ବ୍ୟକ୍ତିଗତ ପାରିବାରିକ କାର୍ଯ୍ୟକ୍ରମ ଓ ବିଜୁ ଜନତା ଦଳର କାର୍ଯ୍ୟକ୍ରମରେ ପରିଣତ କରାଗଲା ବୋଲି ଅଭିଯୋଗ ହୋଇଛି । ଯଦି ଭତ୍ତା ବଣ୍ଟନ ମେଳା ସରକାରୀ ଅର୍ଥରେ ହେଉଛି ଓ ସରକାରୀ ଅଧିକାରୀ ଯଥା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହୁଛନ୍ତି ତେବେ ଏଥିରେ ପାରିବାରିକ ପ୍ରୀତି କାହିଁକି ରହିଲା । ଯାହାକୁ ନେଇ ବିଜେପି ଥାନାରେ ଅଭିଯୋଗ କରିଛି ।