ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବିଜେଡିରେ ଦଳୀୟ କନ୍ଦଳ। ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ତେଜୁଛି କର୍ମୀଙ୍କ ଅସନ୍ତୋଷ। ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଶୁକ୍ରବାର ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଛନ୍ତି ବିଜେଡି କର୍ମୀ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କୁ ରାଜନଗର ନିର୍ବାଚନମଣ୍ଡଳୀରୁ ଦଳ ପ୍ରାର୍ଥୀ କରିଛି । ତେବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ସ୍ଥାନୀୟ କର୍ମୀ ଓ ନେତା । କର୍ମୀଙ୍କ ଅଭିଯୋଗ ଯେ ଧ୍ରୁବ ମାର୍କଫେଡ୍ ଧାନକିଣା ଦୁର୍ନୀତିରେ ସମ୍ପୃକ୍ତ । ତାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ଚାଲିଛି । ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଏହି ବିଷୟରେ ଟିପ୍ପଣୀ ଦେଇଛନ୍ତି।
ଏହାପରେ ମଧ୍ୟ ତାଙ୍କୁ କାହିଁକି ବିଜେଡି ଟିକେଟ୍ ଦେଲା ବୋଲି କର୍ମୀ ପ୍ରଶ୍ନ କରିଛନ୍ତି । ଧ୍ରୁବ ସାହୁଙ୍କ ଟିକେଟ ପ୍ରତ୍ୟାହାର ଦାବିରେ ନବୀନ ନିବାସ ଆଗରେ ଧାରଣାରେ ଶତାଧିକ ବିଜେଡି କର୍ମୀ ବସିଛନ୍ତି। ତାଙ୍କ ବଦଳରେ ଆଉ ଯାହାକୁ ଟିକେଟ୍ ଦେଲେ ତାଙ୍କୁ ନିଶ୍ଚୟ ଜିତାଇବୁ ନଚେତ ତାଙ୍କ ବିରୋଧରେ ଯାଇ ଦଳୀୟ ପ୍ରାର୍ଥୀଙ୍କୁ ହରାଇବୁ ବୋଲି ଧମକ ଦେଇଛନ୍ତି କର୍ମୀ ।
ଧ୍ରୁବ ସାହୁ ଜଣେ ଧାନ ଚୋର । ସେ ଦୁର୍ନୀତିରେ ବୁଡି ରହିଛନ୍ତି । ତାଙ୍କ ବିରୋଧରେ ରାଜନଗରରେ ପ୍ରବଳ ଜନ ଅସନ୍ତୋଷ ରହିଛି । କେନ୍ଦ୍ରାପଡା ମାଟି ବିଜୁ ପଟ୍ଟନାୟକଙ୍କ ମାଟି । ସେ ମାଟିରେ ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ । ତେଣୁ ଯଦି ଧ୍ରୁବଙ୍କ ପ୍ରାର୍ଥୀତ୍ବ ପ୍ରତ୍ୟାହାର ନ କରାଯାଏ ତେବେ ଅଗାମୀ ଦିନରେ ବିଜେଡି ପ୍ରାର୍ଥୀ ହାରିବେ ବୋଲି ରାଜନଗର ବିଜେଡି କର୍ମୀ ଦେବାଶିଷ ପାତ୍ର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ