ଓଡିଶା

odisha

By

Published : Feb 14, 2022, 7:45 PM IST

ETV Bharat / state

Panchayat Poll: ଡେରାବିଶ ବିଜେଡି ଫାଇଟକୁ ନେଇ ସୁଯୋଗ ଅପେକ୍ଷାରେ ବିପକ୍ଷ ଦଳ

କେନ୍ଦ୍ରାପଡା ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇଫାଳ । ଅଧ୍ଯକ୍ଷ ପଦ ପାଇଁ ସାବିତ୍ରୀ ଅଗ୍ରଓ୍ବାଲ ବିଜେଡି ଏବଂ ସରୋଜ ବିଜେଡି ମୁହାଁମୁହିଁ । ଅଧିକ ପଢନ୍ତୁ

Panchayat Poll: ଡେରାବିଶ ବିଜେଡି ଫାଇଟକୁ ନେଇ ସୁଯୋଗ ଅପେକ୍ଷାରେ ବିପକ୍ଷ ଦଳ
Panchayat Poll: ଡେରାବିଶ ବିଜେଡି ଫାଇଟକୁ ନେଇ ସୁଯୋଗ ଅପେକ୍ଷାରେ ବିପକ୍ଷ ଦଳ

କେନ୍ଦ୍ରାପଡା: ରାଜ୍ୟ ରାଜନୀତିର ଅତି ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ପାଟକୁରା । ୨୦୦୯ରେ ବରୀ-ଡେରାବିଶ୍ ନିର୍ବାଚନ ମଣ୍ଡଳୀକୁ ବିଭାଗୀକରଣ କରାଯାଇ ପାଟକୁରା ସହ ମିଶାଇ ଦିଆଯିବା ପରେ ଏଠାରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ । ଯଦିଓ ଏହାପୂର୍ବରୁ ୨୦୦୭ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ଡେରାବିଶ୍ ବ୍ଲକରେ ଅଧ୍ୟକ୍ଷ ପଦ ହାତେଇବାରେ ସକ୍ଷମ ହୋଇଥିଲା କିନ୍ତୁ, ସେଥିରେ ତିଳେମାତ୍ର ବେଦପ୍ରକାଶଙ୍କ ଅବଦାନ ନଥିଲା । ୨୦୦୭ ମସିହାରେ ମଙ୍ଗଳପୁର ପଞ୍ଚାୟତରୁ ନିର୍ବାଚିତ ହୋଇ କଳ୍ପନା ସାହୁ ଡେରାବିଶ୍ ବ୍ଲକ ଅଧ୍ୟକ୍ଷା ପଦବୀ ମଣ୍ଡନ କରିଥିଲେ । ପୁନର୍ବାର ୨୦୧୨ ନିର୍ବାଚନରେ ବେଦପ୍ରକାଶଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ସରୋଜ ନିଜ ପତ୍ନୀ କଳ୍ପନାଙ୍କୁ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ କରି ଅଧ୍ୟକ୍ଷା କରାଇଥିଲେ ।

Panchayat Poll: ଡେରାବିଶ ବିଜେଡି ଫାଇଟକୁ ନେଇ ସୁଯୋଗ ଅପେକ୍ଷାରେ ବିପକ୍ଷ ଦଳ

୨୦୧୯ ସାଧାରଣ ନିର୍ବାଚନରେ ବେଦପ୍ରକାଶଙ୍କୁ ବିରୋଧ କରି ସରୋଜ ନିଜର ଶତାଧିକ ସମର୍ଥକଙ୍କ ସହ ବିଜୟ ମହାପାତ୍ରଙ୍କ ଅନୁଗତ ଭାବେ ବିଜେପିରେ ଆନୁଷ୍ଠାନିକ ଭାବେ ମିଶିଥିଲେ । ତେବେ ଅସୁସ୍ଥତା କାରଣରୁ ବେଦପ୍ରକାଶଙ୍କ ମୃତ୍ୟୁ ଏବଂ ବିଜେଡି ଦଳର ନେତୃବୃନ୍ଦଙ୍କ ବୁଝାମଣା ପରେ ସରୋଜ ବିଜେଡିକୁ ଫେରିଥିଲେ ହେଁ ପାଟକୁରା ବିଧାୟିକାଙ୍କୁ ଦୀର୍ଘ ୨ ବର୍ଷ ହେବ ପ୍ରତ୍ୟେକ କାମରେ ବିରୋଧ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ଡେରାବିଶ୍ ବ୍ଲକର ସମସ୍ତ ୨୬ ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ସମାନ୍ତରାଳ ପ୍ରାର୍ଥୀ ଦେଇଥିବା ଅଭିଯୋଗ କରିଛନ୍ତି ବାରିମୂଳ ପଞ୍ଚାୟତ ବିଜେଡି ସଭାପତି ।

ସରୋଜ ଓ କଳ୍ପନା ଦୀର୍ଘ ୧୫ ବର୍ଷ କାଳ ଅଧ୍ୟକ୍ଷ ଦାୟିତ୍ବରେ ରହିଥିବା ବେଳେ ବ୍ଲକ ଅଧିନ କୌଣସି ପଞ୍ଚାୟତର ଉନ୍ନତି କରିନଥିବା ଏବଂ ବିଧାୟିକା ଓ ସ୍ଥାନୀୟ ଜନ ପ୍ରତିନିଧି କରୁଥିବା ଉନ୍ନତିମୂଳକ କାର୍ଯ୍ୟକୁ ସରୋଜ ବିରୋଧ କରୁଥିବାରୁ ସରୋଜଙ୍କୁ ଏଥର ଭୋଟ ନାହିଁ ବୋଲି ସଫାସଫା ଶୁଣାଇଛନ୍ତି । ଚଳିତଥର ସରୋଜ ବାରିମୂଳ ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ତାଙ୍କ ପତ୍ନୀ ତଥା ପୂର୍ବତନ ଅଧ୍ୟକ୍ଷା କଳ୍ପନା ସାହୁ ରଘୁଦେଇପୁର ପଞ୍ଚାୟତରେ ଭୋଟ ଭିକ୍ଷା କରୁଛନ୍ତି ।

ସରୋଜ ଗତଥର ରଘୁଦେଇପୁର ପଞ୍ଚାୟତରୁ ବିଜୟୀ ହୋଇ ଡେରାବିଶ୍ ବ୍ଲକ ଅଧ୍ୟକ୍ଷ ପଦବୀ ମଣ୍ଡନ କରିଥିବା ବେଳେ ସେଠାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇନଥିବା ଏବଂ ପଞ୍ଚାୟତ ଗୃହ କିମ୍ବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ହୋଇନଥିବାରୁ ସେଠାରେ ଜନତାଙ୍କ ଆକ୍ରୋଶ ସରୋଜଙ୍କ ଉପରେ ରହିଛି । ଅନ୍ୟପଟେ ବିଧାୟିକା ସାବିତ୍ରୀଙ୍କ ଅନୁଗତ ରହିଥିବା ରମାକାନ୍ତ ମଲ୍ଲିକଙ୍କ ଝିଅ ମୋନାଲିସା ଏଠାରୁ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୋଧରେ ସରୋଜଙ୍କ ପତ୍ନୀ କଳ୍ପନା ପ୍ରାର୍ଥୀ ହୋଇଛନ୍ତି । ଉଭୟ ପତିପତ୍ନୀ ଲୋକଙ୍କ ହିତରେ କାମ କରୁଥିବା କାରଣରୁ ଲୋକେ ତାଙ୍କୁ ନିଶ୍ଚେ ବହୁ ଭୋଟରେ ବିଜୟୀ କରାଇବେ ବୋଲି ସରୋଜ ଆଶାବ୍ୟକ୍ତ କରିଛନ୍ତି । ଏବେ ସାଧାରଣ ନିର୍ବାଚନ ନଥିବାରୁ ବିଧାୟିକା ପଞ୍ଚାୟତ ନିର୍ବାଚନରେ ମୁଣ୍ଡ ନଖେଳାଇବାକୁ ଚରମ ବାଣୀ ଶୁଣାଇଛନ୍ତି ସରୋଜ । ଆସନ୍ତା ୧୬ ତାରିଖରେ ଡେରାବିଶ୍ ବ୍ଲକରେ ମତଦାନ ହେବାକୁ ଥିବା ବେଳେ ବର୍ତ୍ତମାନ ବିଜେଡି ମଧ୍ୟରେ ଚାଲିଥିବା ଫାଇଟ ସୁଯୋଗରୁ ଲାଭ ଉଠାଇବା ଲକ୍ଷ୍ୟ ରଖିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details