କେନ୍ଦ୍ରାପଡ଼ା: ପର୍ଯ୍ୟଟକ ମାନଙ୍କ ପାଇଁ ଖୁସି ଖବର । ଆସନ୍ତା ୫ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ମାନଙ୍କ ଏନ୍ତୁଡ଼ିଶାଳ ଭାବେ ବିଶ୍ୱ ଦରବାରରେ ପରିଚିତ ଭିତରକନିକା ଉଦ୍ୟାନ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ କାରଣରୁ ଗତ ମେ ମାସ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିଥିଲା । ପ୍ରଜନନ ଋତୁ ମଧ୍ୟରେ କୁମ୍ଭୀର ମାନେ ବସା ଚିହ୍ନଟ କରି ଅଣ୍ଡା ଦେଇଥାନ୍ତି ଓ ନିର୍ଦ୍ଧାରିତ ଏହି ସମୟ ମଧ୍ୟରେ ମା କୁମ୍ଭୀରମାନେ ଅଣ୍ଡାକୁ ଜଗି ରହୁଥିବାରୁ ଅଧିକ ହିଂସ୍ର ହୋଇଥାନ୍ତି, ଯେଉଁଥିପାଇଁ କି ଏହି ତିନିମାସ ପର୍ଯ୍ୟଟକ ମାନଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥାଏ ।
ଚଳିତବର୍ଷ କୋଭିଡ ମହାମାରୀର ଦ୍ଵିତୀୟ ଲହର ଲକଡାଉନ ଯୋଗୁଁ ସମସ୍ତ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଥିଲା । ତେବେ ଆଜିଠୁ ରାଜ୍ୟ ସରକାର ଅନଲକ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଆସନ୍ତା ୫ ତାରିଖରୁ ଜାତୀୟ ଉଦ୍ୟାନ ଖୋଲିବାକୁ ଯାଉଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରହିଥିବା ଗହୀରମଥା ଅଭୟାରଣ୍ୟର ହୁକିଟୋଲା ପର୍ଯ୍ୟଟନ ସ୍ଥଳୀ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।