କେନ୍ଦ୍ରାପଡା: ଗାଁ ଦାଣ୍ଡରେ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଉଲଗ୍ନ କରି ମାଡ଼। ଏପରି ଅମାନୁଷିକ ଘଟଣା ଘଟିଛି ରାଜକନିକା ଡାଲିକାଇନ୍ଦା ଗ୍ରାମରେ। ମାଡମରାର ଭିଡିଓ ସ୍ଥାନୀୟ ଅଞ୍ଚଳରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ସଭ୍ୟସମାଜ ପାଇଁ ଲଜ୍ଜ୍ୟାର ବିଷୟ ପାଲଟିଛି ।
ଜlଗା ବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ତେବେ ବିବାଦର ମାତ୍ରା ଏତେ ବଢିଯାଇଛି ଯେ, ଏହା ହିଂସାର ରୂପ ନେଇଛି । ସର୍ବସମ୍ମୁଖରେ ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ମାଡ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦ୍ରାପଡା ଆଗରୁ ରାଜକନିକା ଥାନାରେ ଅଭିଯୋଗ କରିଥିଲେ ପୀଡିତା ମହିଳା। ତେବେ ପୋଲିସର ଦ୍ବାରସ୍ଥ ହେଲାପରେ ମଧ୍ୟ, ପୋଲିସ କୌଣସି ପଦକ୍ଷେପ ନେଇନଥିବାରୁ ମହିଳାଙ୍କ ସହିତ ଏପରି ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଏବେ ରାଜକନିକା ଅଞ୍ଚଳରେ ଲଜ୍ଜ୍ୟାର ବିଷୟ ପାଲଟିଛି । ତେବେ ଏନେଇ ରାଜକନିକା ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୀଡିତା ମହିଳା ଜଣଙ୍କ ଉକ୍ତ ଘଟଣାର ଭିଡିଓ ରାଜକନିକା ଥାନାରେ ଦେଇଥିବା ଜଣାପଡିଛି। ଏହି ଘଟଣାରେ ରାଜକନିକା ପୋଲିସର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ