ଓଡିଶା

odisha

ETV Bharat / state

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ନା ଶିଶୁ ନା ପ୍ରସୂତି କାହାକୁ ମିଳୁନି କିଛି

ଜରାଜୀର୍ଣ୍ଣ ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର । ଦୀର୍ଘ ୨ବର୍ଷ ଧରି ଏଠାରେ ପଡ଼ିଛି ତାଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଡେରାବିଶ୍ ବ୍ଲକ ନହଙ୍ଗ ପଞ୍ଚାୟତ ୫ନଂ ୱାର୍ଡ ଘୋଷରାମାଳ ଦଳିତ ଗାଁରେ । କେନ୍ଦ୍ରରେ ଗୋଟିଏ ପଟେ ତାଲା ପଡ଼ିଥିବା ବେଳେ ଅନ୍ୟପଟେ ପକେଟରେ ଦରମା ଭର୍ତ୍ତି କରୁଛନ୍ତି କର୍ମୀ । ଦେଖନ୍ତୁ ଏହି ରିପୋର୍ଟ

By

Published : Jul 28, 2022, 9:48 PM IST

୨ବର୍ଷ ଧରି ଅଙ୍ଗନୱାଡି ମାଟି ମାଡିନାହାନ୍ତି ପିଲାଏ, ମମତା ଯୋଜନାଠୁ ବହୁ ଦୂରରେ ପ୍ରସୂତି
୨ବର୍ଷ ଧରି ଅଙ୍ଗନୱାଡି ମାଟି ମାଡିନାହାନ୍ତି ପିଲାଏ, ମମତା ଯୋଜନାଠୁ ବହୁ ଦୂରରେ ପ୍ରସୂତି

କେନ୍ଦ୍ରାପଡ଼ା: ଶିଶୁମାନଙ୍କୁ ପୌଷ୍ଟିକ ଆହାର, ପ୍ଲେ ୱେ ମେଥଡ଼ରେ ଶିକ୍ଷା ସାଙ୍ଗକୁ ଗର୍ଭବତୀ ମା' ମାନଙ୍କୁ ନିରାପଦ ମାତୃତ୍ୱ ପ୍ରଦାନ କରିବା ସହ ଗ୍ରାମାଞ୍ଚଳରେ ଥିବା ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରାଥମିକ ଅସୁବିଧାକୁ ପ୍ରଶାସନ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଅଙ୍ଗନବାଡି ସ୍ଥାପିତ ହୋଇଛି । ହେଲେ ଜିଲ୍ଲାର ଡେରାବିଶ୍ ବ୍ଲକରେ ଏମିତି ଏକ ଗାଁ ଅଛି ଯେଉଁଠାରେ କି ଦୀର୍ଘ ଦୁଇବର୍ଷ ହେବ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିଛି । ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ସମନ୍ବିତ ଶିଶୁ ବିକାଶ ବିଭାଗର ମୁଖ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଥିବା ବେଳେ ମାସକୁ ମାସ ସରକାରୀ ତହବିଲରୁ କାମ ନକରି କର୍ମୀଜଣଙ୍କ ଦରମା ନେଉଥିବା ଅଭିଯୋଗ ହୋଇଛି ।

୨ବର୍ଷ ଧରି ଅଙ୍ଗନୱାଡି ମାଟି ମାଡିନାହାନ୍ତି ପିଲାଏ, ମମତା ଯୋଜନାଠୁ ବହୁ ଦୂରରେ ପ୍ରସୂତି

ଡେରାବିଶ୍ ବ୍ଲକ ନହଙ୍ଗ ପଞ୍ଚାୟତ ୫ ନଂ ୱାର୍ଡ ଘୋଷରାମାଳ ଦଳିତ ଗାଁରେ । ଏଠାରେ ୫୦୦ରୁ ଉର୍ଦ୍ଧ୍ବ ଦଳିତ ଲୋକ ବସବାସ କରୁଥିବା ବେଳେ ଏକଦା ଅଙ୍ଗନୱାଡି କେନ୍ଦ୍ରର ଛାତ୍ରଛାତ୍ରୀ ସଂଖ୍ୟା ୩୦ରୁ ଉର୍ଦ୍ଧ୍ବ ରହିଥିଲା । ତେବେ ଏହି କେନ୍ଦ୍ରଟିରେ ନିଯୁକ୍ତ ଥିବା କର୍ମୀ ଊର୍ମିଳା ସେଠୀଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ବିଭିନ୍ନ ସମୟରେ ପିଲାମାନଙ୍କ ପାଇଁ ଆସୁଥିବା ଅଣ୍ଡା, ଛତୁଆ, ରନ୍ଧାଖାଦ୍ୟ ଆଦି ଯୋଗାଇ ଦେବାରେ ହେରଫେର କରିବା ସହ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାକୁ ଊର୍ମିଳା ସେଠୀ ବାଟମାରଣା କରୁଥିଲେ । ଏନେଇ ଗ୍ରାମବାସୀ ଓ କର୍ମୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଯୁକ୍ତିତର୍କ ଓ କଳହ ହୋଇଥିଲା ।

ଜାନୁଆରୀ ୨୦୨୦ ରେ ଏହି କଳହ ଘଟିଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗରେ ଅଙ୍ଗନୱାଡି କର୍ମୀ ଜଣଙ୍କ ୧୫ଦିନ ଜେଲଦଣ୍ଡ ମଧ୍ୟ ଭୋଗିଥିଲେ । ତେବେ ଏହା ପରେ ଅଙ୍ଗନୱାଡି କେନ୍ଦ୍ରକୁ ସୁପରିଚାଳନା ନିମନ୍ତେ ସେହିବର୍ଷ ଫେବୃୟାରୀ ୨୦ ତାରିଖରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଡେରାବିଶ ସମନ୍ବିତ ଶିଶୁ ବିକାଶ ଅଧିକାରୀ ସମେତ ବରିଷ୍ଠ ଅଧିକାରୀ, ଗ୍ରାମବାସୀ ଓ ଉକ୍ତ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ବୈଠକ ହୋଇ ନିକଟରେ ଥିବା ଆଉ ଏକ ଅଙ୍ଗନୱାଡିର କର୍ମୀ ପଦ୍ମଜା ଦାସଙ୍କୁ ଏହି ଅଙ୍ଗନବାଡିରେ ପାଠ ପଢ଼ାଇବା ପାଇଁ ଦାୟିତ୍ୱ ଦିଆଯାଇଥିଲା ଏବଂ ଘଟଣାର ସ୍ଥାୟୀ ସମାଧାନ ନହେବା ଯାଏଁ ଅଙ୍ଗନୱାଡି କର୍ମୀ ଊର୍ମିଳାଙ୍କୁ ଏହି କେନ୍ଦ୍ରକୁ ଆସିବାକୁ ବାରଣ ହୋଇଥିଲା ।

ତେବେ ଏସବୁ ଭୃକ୍ଷେପ ନକରି ଊର୍ମିଳା ଅଙ୍ଗନବାଡି କେନ୍ଦ୍ରକୁ ଆସିବାରୁ ଅଭିଭାବକ/ଅଭିଭାବିକା ମାନେ ସେମାନଙ୍କ ଶିଶୁଙ୍କୁ ଆଉ ଅଙ୍ଗନୱାଡି ପଠାଉନାହାନ୍ତି । ଅଙ୍ଗନୱାଡି କର୍ମୀ ଊର୍ମିଳାଙ୍କ ଏହି ଅବମାନନା ପଛରେ CDPOଙ୍କ ହାତ ରହିଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜନନୀ ସୁରକ୍ଷା ପାଇଁ ମମତା ଯୋଜନା, ଟୀକାକରଣ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ୱାର୍ଡର ବାସିନ୍ଦା ।

ଦୁଇବର୍ଷ ମଧ୍ୟରେ ପାଖାପାଖି ୨୦ରୁ ଅଧିକ ଥର ସଂପୃକ୍ତ ଅଙ୍ଗନୱାଡି କର୍ମୀଙ୍କୁ ବଦଳି କରିବା ସହ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ । ହେଲେ ଏହାର ସମାଧାନ ହେଉନାହିଁ । ଅନ୍ୟପଟେ ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘୋଷରାମାଳ ଗାଁକୁ ଯାଇ ସମାଧାନର ବାଟ କାଢ଼ିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details