କେନ୍ଦ୍ରାପଡା:ଟଳିଗଲା ଏକ ବଡ ଅଘଟଣ, ଅଳ୍ପକେ ବର୍ତ୍ତିଲା ୫୦ରୁ ଉର୍ଦ୍ଧ୍ବ ଜୀବନ । ଶନିବାର ସନ୍ଧ୍ୟାରେ ମହାକାଳପଡ଼ା ବାହାକୁଦ ଘାଟକୁ ଫେରୁଥିବା ଏକ ଯନ୍ତ୍ର ଚାଳିତ ଡଙ୍ଗା ଅଳ୍ପକେ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଅଗ୍ନିଶମ ବିଭାଗର ତ୍ବରିତ ପଦକ୍ଷପ ଯୋଗୁଁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଡଙ୍ଗା ଚାଳକ ମଦ୍ୟପାନ କରି ଡଙ୍ଗା ଚଳାଉଥିବାରୁ ଏପରି ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି ଯାତ୍ରୀ ।
ମହାନଦୀରେ ଭାସିଗଲା ଡଙ୍ଗା, ମୃତ୍ୟୁମୁଖରୁ ଫେରିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ ଏହା ମଧ୍ୟ ପଢନ୍ତୁ:ମହାନଦୀରେ ଭାସିଗଲା ଡଙ୍ଗା, ଫସିଛନ୍ତି ୭୦ ଯାତ୍ରୀ
ମିଳିଥିବା ସୂଚନା ଅନୁଯାୟୀ, ପାରାଦ୍ୱୀପ ମୂଷାଡିଆରୁ ଡଙ୍ଗାଟି ସମସ୍ତ ଯାତ୍ରୀଙ୍କୁ ନେଇ ବାହାକୁଦ ଘାଟକୁ ଫେରୁଥିଲା । ଏହି ସମୟରେ ହଠାତ ବେଲ୍ଟ ଛିଣ୍ଡିଯିବାରୁ ଡଙ୍ଗାଟି ମହାନଦୀର ଗଭୀର ଜଳରାଶିକୁ ଠେଲି ହୋଇ ଯାଇଥିଲା । ଏହା ପରେ ଗଭୀର ଜଳରାଶିକୁ ଚାଲି ଯାଉଥିବା ଡଙ୍ଗାକୁ ଉଦ୍ଧାର କରିବା ପାଇଁ ତତକ୍ଷଣାତ ସହଯୋଗର ହାତ ବଢ଼ାଉଥିବା ଆଉ ଏକ ଡଙ୍ଗାକୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡିଥିଲା ।
ତେବେ ଡଙ୍ଗାଟିର ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା । ଏହାପରେ ଡଙ୍ଗାଟି ଗଭୀର ପାଣିକୁ ଚାଲି ଯାଉଥିବା ବେଳେ କୌଣସି ଯାତ୍ରୀ ଭୟଭୀତ ନହୋଇ ସାହାସର ସହିତ ସ୍ଥିର ହୋଇ ଡଙ୍ଗାରେ ବସି ରହିଥିଲେ । ଫଳରେ ଡଙ୍ଗାଟି ଓଲଟି ନଯାଇ ସ୍ଥିର ରହିଥିଲା ଓ ବାହାକୁଦ ଘାଟ ଠାରୁ ପ୍ରାୟ ୫କିଲୋମିଟର ଦୂର ନିପାଣିଆ ଠାରେ ଥିବା ଏକ ଲଙ୍ଗରରେ ଲାଗିଥିଲା । ଏନେଇ ଖବର ପାଇ ଯାତ୍ରୀଙ୍କୁ ଉଦ୍ଧା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ଜମ୍ବୁ ସାମୁଦ୍ରିକ ଥାନା ଏବଂ ମତ୍ସ୍ୟଜୀବୀଙ୍କ ସହାୟତାରେ ଶନିବାର ବିଳମ୍ବିତ ରାତି ସୁଦ୍ଧା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସେମାନଙ୍କ ଘରକୁ ପଠାଯାଇଥିଲା । ତେବେ ଡଙ୍ଗା ଚାଳକ ମଦ୍ୟପାନ କରି ଡଙ୍ଗା ଚଳାଉଥିବା ନେଇ ଜଣେ ଯାତ୍ରୀ ଅଭିଯୋଗ ଆଣିଥିବା ବେଳେ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ହୋଇ ପଡିଛି ।
ସେହିପରି ଡଙ୍ଗାର ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଓ ଲୋକ ପ୍ରତିନିଧି ମାନଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ବହୁ ମୂଲ୍ୟବାନ ଜୀବନ ସୁରକ୍ଷିତ କରିଥିବାରୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ସାଧୁବାଦ ଜଣାଉଛି । କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ଭାସିଯାଇଥିବା ଯାତ୍ରୀବାହୀ ଡଙ୍ଗାରୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ, ବିଡିଓ, ତହସିଲଦାର, ମହାକାଳପଡ଼ା ଆଇଆଇସି, ଜମ୍ବୁ ମେରାଇନ୍ ପୋଲିସ କର୍ମଚାରୀ, ସ୍ଥାନୀୟ ବାସିନ୍ଦା ଓ ଲୋକ ପ୍ରତିନିଧିମାନେ କରିଥିବା ନିଷ୍ଠାପର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ’’ ବୋଲି କହିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା