କେନ୍ଦ୍ରାପଡା: ପୁଅଟିଏ ଜନ୍ମ ଦେଇଥିଲା ମାଆ । ନିଜ ପେଟକୁ ମାରି ପୁଅ ପେଟରେ ଦାନା ଦେଇଥିଲା । ସ୍ବାମୀକୁ ହରାଇବା ପରେ ପୁଅ ମୁହଁ ଚାହିଁ ଦିନ କାଟିବ ବୋଲି ଆଶା ରଖିଥିଲା । ହେଲେ ଆଜି ପୁଅଟିଏ ଜନ୍ମ କରୁଥିବାରୁ ନିଜକୁ ଧିକାର୍ କରୁଛି ମାଆ । ଆଖିର ଲୁହକୁ ଓଠରେ ପିଇ ଭଗବାନକୁ ପ୍ରଶ୍ନ କରୁଛି, ହେ ଇଶ୍ବର ତୁମେ ପୁଅ ଜନ୍ମ କରିବା କ'ଣ ପାପ ? କାରଣ ଜନ୍ମ କଲା ପୁଅ ସମ୍ପତ୍ତି ପାଇବା ପରେ ମାଆ ପ୍ରତି ନିଷ୍ଠୁର ସାଜିଲା । ଏପରି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡାରୁ । ପୁଅ ବୋହୂଙ୍କ ନିର୍ଯ୍ୟାତନା ସହି ନ ପାରି ଜଣେ ୮୦ ବର୍ଷୀୟା ବୃଦ୍ଧା ୨୦ ବର୍ଷ ହେଲା ଝିଅ ଘରେ ରହୁଛନ୍ତି । ଏବେ ପୁଅ ନିର୍ଯ୍ୟାତନା ବିରୁଦ୍ଧରେ ନ୍ୟାୟ ପାଇଁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଥାନା ଓଉଖଣ୍ଡ ଗାଁର 80 ବର୍ଷୀୟା ତାରିଣୀ ବେଦାନ୍ତଙ୍କ ଘର । ବୃଦ୍ଧାଙ୍କ ସ୍ବାମୀ ଆଜକୁ ୩୦ ବର୍ଷ ହେଲା ଆରପାରିରେ । ତିନି ତିନୋଟି ଝିଅ ପରେ ପୁଅଟିଏ ଜନ୍ମ ଦେଇଥିଲେ ତାରିଣୀ । ସବୁ ମାଆଙ୍କ ପରି ତାଙ୍କର ବି ଆଶା ଥିଲା, ପୁଅ ବଡ ହୋଇ ରୋଜଗାର କରିବ ଆଉ ବୃଦ୍ଧ କାଳରେ ପୋଷିବ । ତିନି ଝିଅଙ୍କୁ ହାତକୁ ଦି ହାତ କରିବା ପରେ ୨୦ ବର୍ଷ ତଳେ ପୁଅ ରବିନ୍ଦ୍ରଙ୍କ ବିବାହ କରିଥିଲେ । କିଛି ଦିନ ଯାଏଁ ସବୁ ଠିକାଠାକ୍ ଚାଲିଥିଲା । ପରେ ଗୋଟିଏ ବୋଲି ପୁଅ ନାଁରେ ବାପଘର ଏବଂ ଶାଶୁଘରର ସବୁ ସମ୍ପତ୍ତି ଲେଖି ଦେଇଥିଲେ ତାରିଣୀ । ସମ୍ପତ୍ତି ପାଇବା ମାତ୍ରେ ବୃଦ୍ଧା ମାଆ ଉପରେ ନିର୍ଯ୍ୟାତନା ଆରମ୍ଭ କରିଥିଲେ ପୁଅବୋହୂ । ଅତ୍ୟାଚାର ଏତେ ଅସହ୍ୟ ହେଲା ଯେ ଶେଷରେ ଜୀବନ ବଞ୍ଚାଇବାକୁ ଆଜକୁ ୨୦ ବର୍ଷ ହେଲା ସାନ ଝିଅ ଘରେ ରହିଆସୁଛନ୍ତି ତାରିଣୀ । ୨୦ ବର୍ଷ ଭିତରେ କୌଣସି ଶୁଦ୍ଧିକ୍ରିୟା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ରବିନ୍ଦ୍ର ନିଜ ମାଆକୁ ଥରେ ବି ଖୋଜି ନାହାନ୍ତି । ସାନଝିଅ ଶାଶୁଘରର ଆର୍ଥିକ ଅବସ୍ଥା ଖୁବ୍ ଦୁର୍ବଳ ହୋଇଥିବା ଯୋଗୁଁ ପୁଅ ନିର୍ଯ୍ୟାତନା ବିରୁଦ୍ଧରେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି ଏବଂ ପୁଅ ନାଁରେ କରିଥିବା ସମ୍ପତ୍ତି ଫେରି ପାଇବା ପାଇଁ ଦାବି କରିଛନ୍ତି ।