ଓଡିଶା

odisha

ETV Bharat / state

ପାଇଖାନାରେ ବିତୁଛି ଫନି ବିପନ୍ନଙ୍କ ଜୀବନ

ବାତ୍ୟା ଫନି ଫେରି ଯାଇଛି । ମାତ୍ର ଛାଡି ଦେଇ ଯାଇଛି ଅଜସ୍ର ଦୁଃଖ ଦୁର୍ଦ୍ଦଶା । ଆଉ ଏଥିରେ ହନ୍ତସନ୍ତ ହେଉଛନ୍ତି ଏମିତି କିଛି ପରିବାର । ଯିଏକି ଏତେ ଖରାରେ ମୁଣ୍ଡ ଟିକେ ଗୁଞ୍ଜିବାକୁ ନିରୁପାୟ ହୋଇ ବାଛିଛନ୍ତି ପାଇଖାନା ଘରକୁ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

By

Published : May 16, 2019, 2:37 PM IST

କେନ୍ଦ୍ରାପଡା: ବାତ୍ୟା ଫନି ମାଡରେ ଉଜୁଡିଯାଇଛି ଅନେକ ଲୋକଙ୍କ ଘର । ଆଉ ଉଡିଯାଇଛି ଘର ଛପର । ଶେଷରେ କୌଣସି ଆଶ୍ରା ନପାଇ ମୁଣ୍ଡ ଗୁଞ୍ଜିବାକୁ ବାଛି ନେଇଛନ୍ତି ପାଇଖାନା ଘରକୁ । ଆମେ କହୁଛୁ ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର ଗ୍ରାମର କ୍ଷୀରୋଦ କୁମାର ଜେନାଙ୍କ ପରିବାର କଥା । ବାତ୍ୟାରେ ସବୁ କିଛି ଛାରଖାର ହୋଇଯିବା ପରେ ପତ୍ନୀ ଓ ଦୁଇ ଝିଅକୁ ନେଇ ରହୁଛନ୍ତି ସ୍ବଚ୍ଛ ଭାରତ ଅଭିଯାନରେ ମିଳିଥିବା ପାଇଖାନା ଘରେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ବାତ୍ୟା ପୂର୍ବରୁ ବି ଏହି ଭଙ୍ଗା ଦଦରା ଚାଳ ଘରେ ରହିବା ସହ ମୂଲପାତି କରି ନିଜ ଅଭାବୀ ସଂସାରକୁ ଚଳାଉଥିଲେ କ୍ଷୀରୋଦ । ଏହାସହ ଦୁଇ ଝିଅକୁ ଶିକ୍ଷା ଦେଇ ବଡ ମଣିଷ କରିବାକୁ ଚାହୁଁଥିଲେ । ହେଲେ କାଳ ରୂପି ଫନି ସବୁ ସ୍ବପ୍ନକୁ ଗିଳି ଦେଲା । ବାତ୍ୟାଦିନ ନିଜ ଜୀବନ ବିକଳରେ ନିକଟସ୍ଥ ସ୍କୁଲ ଘରେ ଆଶ୍ରା ନେଇଥିଲେ ପୁରା ପରିବାର । ଜୀବନ ସିନା ବଞ୍ଚିଗଲା, ହେଲେ ପରିବାର ପାଇଁ ଛାଡି ଦେଇଗଲା ଦୁଃଖ ଓ ଦୁର୍ଦ୍ଦଶା । ଏବେ ଖାଇବା, ଶୋଇବା ସବୁକିଛି ଚାଲିଛି ଏହି ପାଇଖାନା ଘରେ । ସରକାରୀ ରିଲିଫ ବାବଦରେ କିଛି ସହାୟତା ମିଳିଥିଲେ ବି ମୁଣ୍ଡ ଗୁଞ୍ଜିବାକୁ ଦରକାର ପାଲ । ଯାହା ବର୍ତ୍ତମାନ ଯାଏଁ ଏମାନଙ୍କୁ ମିଳିପାରି ନାହିଁ ।

ସ୍ଥାନୀୟ ଆରଆଇ ଭଙ୍ଗା ଘରର କ୍ଷୟକ୍ଷତିର ତଦନ୍ତ କରି ଫେରିଛନ୍ତି । ହେଲେ କେବେ ମିଳିବ ଏହି ପରିବାରକୁ ସହାୟତା, ତାହା ଏବେ ଅନିଶ୍ଚିନ୍ତତା ଘେରରେ । ଆର୍ଥିକ ଅନଟନରେ ସନ୍ତୁଳି ହେଉଥିବା ପରିବାର ପାଇଁ ଏବେ ଏକମାତ୍ର ସାହାରା ସରକାରୀ ସହାୟତା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details