କେନ୍ଦ୍ରାପଡ଼ା: ସଭ୍ୟ ସମାଜରେ ଅସଭ୍ୟ ଓ ଘୃଣ୍ୟ କାର୍ଯ୍ୟ । ସୀମା ଲଙ୍ଘିଲା ଅମାନବିକତା । ନିରୀହ ପଶୁ ବି ହେଲା ଦୁଷ୍କର୍ମର ଶିକାର । ପାଶବିକତାର ସୀମା ଟପିବାକୁ ମଧ୍ୟ ପଛାଇଲା ନାହିଁ ମଣିଷ । ଗୁହାଳ ଘରେ ବନ୍ଧା ଯାଇଥିବା ଛେଳିକୁ ଦୁଷ୍କର୍ମ କରି ଅଭିଯୁକ୍ତ ଗିରଫ ହେବା ଭଳି ଏକ ସମ୍ବେଦନଶୀଳ ଖବର ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ଅଞ୍ଚଳରୁ । ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ତିଲଙ୍ଗ ଗାଁର ଜନୈକା ଭିନ୍ନକ୍ଷମ ମହିଳା ୭ଟି ଛେଳି ରଖି ସେଥିରୁ ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ ଗତ ରବିବାର ବିଳମ୍ବିତ ରାତିରେ ଏହି ଗାଁର ଜଣେ ଯୁବକ ମହିଳାଙ୍କ ଗୁହାଳ ଘରେ ପଶି ଗୋଟିଏ ଛେଳିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ୍ ଥାନା ତିଲଙ୍ଗ ଗାଁର ଜନୈକା ଭିନ୍ନକ୍ଷମ ମହିଳାଙ୍କ ଗୁହାଳ ଘରେ ୭ଟି ଛେଳି ରହିଥିବା ବେଳେ ଗ୍ରାମର ଉମାଶଙ୍କର ନାୟକ ନାମକ ଜଣେ ବ୍ୟକ୍ତି ଏହି କାଣ୍ଡ ଭିଆଇଥିଲା । ଏହି ସମୟରେ ଛେଳି ଗୁଡିକ ଜୋରରେ ଚିତ୍କାର କରିବାରୁ କେହି ଗୁହାଳ ଘରେ ପଶି ଛେଳି ଚୋରି କରୁଥିବା ସନ୍ଦେହ କରି ମହିଳା ଜଣକ ତାଙ୍କ ଦୁଇ ଭାଇଙ୍କୁ ଡାକି ଗୁହାଳ ଘରକୁ ଆସିଥିଲେ । ଏହି ସମୟରେ ଉମାଶଙ୍କର ଦୌଡ଼ି ପଳାଇଥିବା ବେଳେ ଛେଳିଟିର ଗୁପ୍ତାଙ୍ଗରୁ ରକ୍ତଶ୍ରାବ ହେଉଥିବା ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ନରସିଂହପୁର ସରପଞ୍ଚଙ୍କୁ ଜଣାଇବା ପରେ ଗତକାଲି ସନ୍ଧ୍ୟାରେ ବୈଠକ କରି ଘଟଣାର ତଦନ୍ତ ହୋଇଥିଲା । ଉମାଶଙ୍କର ଘଟଣାସ୍ଥଳରେ ଉପସ୍ଥିତ ରହି ସେହି ମହିଳା ଓ ତାଙ୍କ ଭାଇ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏପରିକି ଗୁହାଳ ଘରେ ନିଆଁ ଲଗାଇଦେବା ଧମକ ମଧ୍ୟ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।