କେନ୍ଦ୍ରାପଡା: ଜୀବ ଜଗତ ମଧ୍ୟରେ ରହିଥିବା ବିଭିନ୍ନ ସ୍ତର ପରସ୍ପର ଉପରେ ପ୍ରତ୍ୟେକ୍ଷ ହେଉ ଅବା ପରୋକ୍ଷ ଭାବରେ ନିର୍ଭରଶୀଳ । ଏମିତିରେ ଜୈବ ସନ୍ତୁଳନର ସବୁଠାରୁ ଉର୍ଦ୍ଧ୍ବରେ ଥିବା ମନୁଷ୍ୟ ଉପରେ ରହିଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ଆଉ ଏହି ଦାୟିତ୍ବ ହେଉଛି ବିଭିନ୍ନ ସ୍ତର ମଧ୍ୟରେ ସନ୍ତୁଳନ ବଜାୟ ରଖିବା । ୟାହାର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ କେନ୍ଦ୍ରାପଡା ସହର ଉପକଣ୍ଠର ଗୋପଛକରେ । ଏଠାରେ ଥିବା 4ଟି ବରଗଛରେ ଦେଶ ବିଦେଶରୁ ପକ୍ଷୀମାନେ ଆସି ନୀଡ ବାନ୍ଧୁଥିବା ବେଳେ ଏହି ଦୃଶ୍ୟ ଭିତରକନିକା ଅଭୟାରଣ୍ୟର ବଗ ଗହନ ପରି ପ୍ରତୀୟମାନ ହୁଏ ।
କେବଳ ବଗ ନୁହେଁ, ଏଠାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ପାଣିକୁଆ ମଧ୍ୟ ଉଡି ଆସୁଥିବା ଦେଖାଯାଆନ୍ତି । ଯାହା ଆଜି କି କାଲିର ନୁହେଁ ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ବ ସମୟର ଦୃଶ୍ୟ । ଜନଗହଳିପୂର୍ଣ୍ଣ 5ନଂ (କ) ଜାତୀୟ ରାଜପଥର ଗୋପଛକରେ ଦେଖିବାକୁ ମିଳୁଛି ଏହି ବଗଗହନ। ବିଭିନ୍ନ ପ୍ରଜାତିର ଓ ଭିନ୍ନଭିନ୍ନ ଦେଶ ବିଦେଶରୁ ଆସିଥାନ୍ତି ଏହି ବଗମାନେ । ମୁଖ୍ୟତଃ ରାମ ନବମୀ ସମୟରେ ଏହି ବଗ ଓ ପାଣି କୁଆମାନେ ବହୁ ଦୁର ଦୂରାନ୍ତରୁ ଆସି ଏହି ବରଗଛରେ ବସା ବାନ୍ଧିବା ସହିତ ଅଣ୍ଡା ଦେଇ ଛୁଆ ଫୁଟାଇଥାନ୍ତି । ସେମାନଙ୍କ ଶାବକମାନେ ବଡ ହୋଇ ଉଡିବା ଜାଣିବା ପରେ ପ୍ରାୟ ନଭେମ୍ବର କିମ୍ବା ଡିସେମ୍ବର ମାସରେ ନିଜ ନିଜ ଅଞ୍ଚଳକୁ ଫେରି ଯାଇଥାନ୍ତି ।
ଏହି ବଗଗହନକୁ ଦେଖିବାକୁ ବାଟୋଇମାନେ ମଧ୍ୟ କିଛି ସମୟ ସେଠାରେ ଅଟକି ଯାଆନ୍ତି । ସକାଳ ହେଲେ ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ବାହାରି ଯାଇଥାନ୍ତି ଓ ସନ୍ଧ୍ୟା ହେଲେ ଶାବକମାନଙ୍କ ପାଇଁ ସାଥିରେ ଆଣିଥିବା ଖାଦ୍ୟ ଖୁଆନ୍ତି । ଶାବକମାନଙ୍କୁ ଖାଦ୍ୟ ଦେବା ସମୟ ହେଉ ଅବା ଆକାଶରେ ବର୍ଷାର ଆଗମନ ହେଉ ଏହି ସମୟରେ ବିଭିନ୍ନ ପ୍ରଜାତିର ବଗମାନଙ୍କ କିଚିରି ମିଚିରି ଶବ୍ଦରେ ପଥଚାରୀଙ୍କୁ ଆନନ୍ଦିତ କରେ । ତେଣେ ଏହି ବଗ ଓ ପାଣି କୁଆମାନଙ୍କୁ ଦୀର୍ଘ ବର୍ଷ ହେବ ସୁରକ୍ଷା ଦେଇ ଆସୁଛନ୍ତି ଗୋପଛକ ବଜାର କମିଟିର ସଦସ୍ୟ ମାନେ । ଏହି ପକ୍ଷୀଙ୍କ ମଳ ମୂତ୍ରକୁ ପ୍ରତିଦିନ ସଫା କରିବା ସହିତ ଗଛରୁ ଭୁଲ ବଶତଃ ତଳକୁ ଖସି ପଡିଥିବା ଶାବକମାନଙ୍କୁ ପୁଣି ଗଛରେ ରଖି ଦେଇଥାନ୍ତି ବଜାର କମିଟି ସଦସ୍ୟ ଓ ଆଖପାଖର ବ୍ୟବସାୟୀ । ଏମାନଙ୍କ ସୁରକ୍ଷା ପାଇଁ ଶିକାରୀମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଏହି ଅଞ୍ଚଳକୁ ବାରଣ କରାଯାଇଛି।