କେନ୍ଦ୍ରାପଡା: ବିଜୟା ଦଶମୀରେ ଅଘଟଣ । କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଅନ୍ତର୍ଗତ କୃଷ୍ଣନଗର ପଞ୍ଚାୟତ ପିଞ୍ଛାପାଟିଆ ଗାଁରେ ଗ୍ରାମଦେବୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, ରବିବାର ମା’ ଦୁର୍ଗାଙ୍କ ମହାନବମୀ ପୂଜାରେ ଗ୍ରାମଦେବତୀଙ୍କ ନିକଟରେ ଚଣ୍ଡୀପାଠ ସହିତ ଭୋଗ ଅର୍ପଣ କରାଯାଇଥିଲା । ଭୋଗରେ ଚୁଡ଼ା, ଫଳ, ମିଠା, କ୍ଷୀର ଆଦି ମିଶା ଯାଇଥିଲା । ଗାଁର ୪୦ଟି ପରିବାର ମଧ୍ୟରୁ ୨୭ଟି ପରିବାରର ସମସ୍ତ ସଦସ୍ୟଙ୍କୁ ଠାକୁରାଣୀଙ୍କ ଭୋଗ ଦିଆଯାଇଥିଲା ।
ସଂନ୍ଧ୍ୟା ଏବଂ ରାତିରେ ଭୋଗ ଖାଇଥିବା ଲୋକଙ୍କର ହଠାତ୍ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଶତାଧିକ ଲୋକଙ୍କର ଝାଡ଼ାବାନ୍ତି ହେବା ପରେ ସ୍ଥାନୀୟ ଆଶାକର୍ମୀ ଓ ଏଏନଏମ ଅସୁସ୍ଥ ଲୋକଙ୍କୁ ଓଆରଏସ ଓ ଔଷଧ ଦେଇଥିଲେ । ମାତ୍ର ଲୋକଙ୍କର ଝାଡ଼ାବାନ୍ତି ନକମିବାରୁ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଆଦିତ୍ୟ କୁମାର ପ୍ରଧାନ ଗାଁରେ ପହଞ୍ଚି ଅସୁସ୍ଥ ଲୋକଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ବର୍ତ୍ତମାନ ଅସୁସ୍ଥ ଲୋକଙ୍କୁ ଡାଙ୍ଗମାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି ତେବେ କୋଭିଡ କଟକଣା ବେଳେ ଗାଁରେ ଭୋଗ କରାଯାଇ ଏତେ ଲୋକଙ୍କୁ କେମିତି ବଣ୍ଟାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ