ଫୁଲବାଣୀ:ମୋବାଇଲ ଟାଓ୍ବାର ସ୍ଥାପନ ପାଇଁ ଗ୍ରାମବାସୀଙ୍କ ଦାବି। ଏନେଇ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ। ତେବେ ମୋବାଇଲ ଟାଓ୍ବାର ଦାବିରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଞ୍ଚାୟତବାସୀ ଆଜକୁ ଦୀର୍ଘ ଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ହେଲେ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଆନ୍ତରିକତା ନ ଦେଖାଇବାରୁ ଗ୍ରାମବାସୀ ସୋମବାର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ୪୮ ଘଣ୍ଟା ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।
ଏନେଇ ଗ୍ରାମବାସୀ କହିଛନ୍ତି ଯେ ମୁଖ୍ୟାଳୟରେ ମୋବାଇଲ ନେଟୱାର୍କ ସ୍ଥାପନ କରିବାକୁ ବହୁ ବର୍ଷ ହେଲା ଦାବି କରି ଆସୁଛୁ । ଗତ ସାଧାରଣ ନିର୍ବାଚନ ସମୟରେ ନେତାମାନେ ଆସି ଭୋଟ ଦେଲେ ଆମେ ତମ ଗାଁ ରେ ନେଟୱାର୍କ ବସାଇବାକୁ କହିଥିଲେ । ହେଲେ ଜିତିଲା ପରେ କିଛି ପଦକ୍ଷେପ ନେଲେ ନାହିଁ । ଗ୍ରାମବାସୀଙ୍କ ଦାବି ଯୋଗୁଁ ବର୍ତ୍ତମାନର ସରପଞ୍ଚ ବିଭିନ୍ନ ଅଫିସ୍ ଯାଇ ଜଣାଇଥିଲେ ମଧ୍ୟ କେହି ଶୁଣିଲେ ନାହିଁ । ଏନେଇ ଗତ ନଭେମ୍ବରରେ ଏହାର ପ୍ରତିବାଦରେ ପଞ୍ଚାୟତ ଅଫିସ୍ରେ ତାଲା ପକାଇଥିଲୁ ।