ଫୁଲବାଣୀ:ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଗ୍ରହଣ କଲେ ନାହିଁ ଯୁବକ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ 20 ବର୍ଷ ସଶ୍ରମ କାରଦଣ୍ଡରେ ଦଣ୍ଡିତ କଲେ ଫୁଲବାଣୀ ସ୍ୱତନ୍ତ୍ର ପୋକସୋ କୋର୍ଟ । ଏଥିସହ ଦୋଷୀକୁ 20 ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ଦୋଷୀକୁ ଆଉ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଦୋଷୀ ଜଣକ ହେଲେ ରାୟଗଡ଼ା ଜିଲ୍ଲା ବଡଭଦ୍ରର ସୁନୀଲ ସପାକ ।
ମିଳିଥିବା ସୂଚନା ଅନୁଯାୟୀ, ଫେବୃଆରୀ 21, 2020ରେ ତୁମୁଡିବନ୍ଧ ଥାନା ଅଞ୍ଚଳର ନାବାଳିକା ଜଣକ ନିଜ ସାଙ୍ଗ ମାନଙ୍କ ସହିତ ଶିବରାତ୍ରୀ ଯାତ୍ରା ଦେଖିବା ପାଇଁ ଜଲେଶପଟ୍ଟା ଶିବ ମନ୍ଦିରକୁ ଯାଇଥିଲେ । ସେଠାରେ ଅଭିଯୁକ୍ତ ସୁନୀଲ ପିଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ନିଜ ଗ୍ରାମକୁ ନେଇ ଯାଇଥିଲା । ଏହାପରେ ସୁନୀଲ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା । ପରେ ପିଡିତାଙ୍କୁ ନେଇ ହାଇଦ୍ରାବାଦ ଚାଲି ଯାଇଥିଲା । ତେବେ ଲକ ଡାଉନ ଯୋଗୁଁ ଉଭୟେ ସେଠାରୁ ଫେରି ଆସିବା ସହ ସୁନୀଲ ମୁନିଗୁଡାଠାରେ ଏବଂ ପୀଡିତା କୋଟଗଡରେ ସଙ୍ଗରୋଧରେ ରହିଥିଲେ । ପରେ ନାବାଳିକା ସୁନୀଲଙ୍କ ଘରକୁ ଯିବାରୁ ସେ ତାଙ୍କୁ ଗ୍ରହଣ ନକରି ଗାଳି ଗୁଲଜ କରି ଫେରାଇ ଦେଇଥିଲେ ।