ଫୁଲବାଣୀ:ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା । ସାରଙ୍ଗଡ ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଦା ମୂଳରୁ ଏକ ମୃତ ଦେହ ଉଦ୍ଧାର କରିଛି । ମୃତ ଯୁବକ ହେଲେ ସାରଙ୍ଗଡ଼ ନିକଟସ୍ଥ କୁଲର ପଦର ଗ୍ରାମର ଟଟେ ମଳିକଙ୍କ ପୁଅ ପ୍ରଦୀପ ମଳିକ l ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁଯାୟୀ ପ୍ରଦୀପ ତାମିଲନାଡୁରେ ରହି କାମ କରୁଥିଲେ l ସେ ଗୁଞ୍ଜିବାଡ଼ି ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କିନ୍ତୁ ଯୁବତୀର ଭାଇ ଯତୀନ ପ୍ରଧାନ ଏହାକୁ ବିରୋଧ କରି ଆସୁଥିଲେ l ଯୁବକ ଜଣକ ତାମିଲନାଡୁରୁ ନିଜ ଗ୍ରାମକୁ ଫେରିବା ପରେ ଗତକାଲି ଯୁବତୀଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ l ଏହି ପ୍ରେମ ସମ୍ପର୍କକୁ ବିରୋଧ କରି ଆସୁଥିବା ଯତୀନ ପ୍ରଧାନ ଯୁବକଙ୍କୁ ଦେଖି ହଠାତ୍ ରାଗି ଯାଇଥିଲେ । ଯତୀନ ରାଗରେ ଏକ କୁରାଢ଼ୀ ଆଣି ପ୍ରଦୀପକୁ ମାରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ପ୍ରଦୀପ ଚେତାଶୂନ୍ୟ ହୋଇପଡିଥିଲେ । ଏହା ପରେ ଅଭିଯୁକ୍ତ ଯତୀନ ପ୍ରଧାନ ପ୍ରଦୀପଙ୍କୁ ହତ୍ୟାକରି ନିକଟସ୍ଥ ବୁଦା ମୂଳେ ଫିଙ୍ଗି ଦେଇଥିଲା ।