ଫୁଲବାଣୀ: ପୂଜା ପାର୍ବଣ, ଯାନିଯାତ୍ରା ସହ ସବୁ ଶୁଭ କର୍ମରେ ବାଜି ଉଠେ ଶୁଭ ଶଙ୍ଖର ଧ୍ବନି । ଭଗବାନ ବିଷ୍ଣୁଙ୍କ ହସ୍ତରେ ବିରାଜମାନ ଚକ୍ର, ଗଦା ଅସ୍ତ୍ରର ପ୍ରତୀକ ହୋଇଥିବାବେଳେ ଶଙ୍ଖ ଶୁଭର ସଂକେତ ଓ ପଦ୍ମ ସୁନ୍ଦରର ସଙ୍କେତ ପ୍ରଦାନ କରେ । ଶଙ୍ଖ ଆମ ଓଡିଆ ପରମ୍ପରା ଜୀବନଶୈଳୀରେ ଏକ ଗୁରୁତ୍ବପୁର୍ଣ ଅଂଶ । ଶଙ୍ଖକୁ ନେଇ ବହୁ କଳାକାରଙ୍କ ସୃଷ୍ଟି । ଶଙ୍ଖ ବଜାଉଥିବା ଶଙ୍ଖୁଆଙ୍କ ଆବଶ୍ୟକତା ଯଥେଷ୍ଟ ଆମ ଜୀବନଶୈଳୀରେ ।
ଏହା ସହିତ ଯୋଡିଶଙ୍ଖ ପରମ୍ପରା ମଧ୍ୟ ସୃଷ୍ଟି ହୋଇଛି କେଉଁ ଅନାଦି କାଳରୁ । ରାଜନୈତିକ ଦଳଙ୍କ ଚିହ୍ନ ଶଙ୍ଖ ହେବା ପରେ ନିର୍ବାଚନୀ ପ୍ରଚାରରେ ଏକ ଅଭିନ୍ନ ଅଙ୍ଗ ହୋଇଛନ୍ତି ଶଙ୍ଖୁଆ । ପାରମ୍ପରିକ ଭାବେ ଶଙ୍ଖୁଆମାନେ ନିଜ ପେଟପାଟଣା କରି ଆସିଛନ୍ତି ଏହାରି ମାଧ୍ୟମରେ ।
ବର୍ତ୍ତମାନ ଏହି ନିର୍ବାଚନୀ ଋତୁରେ ଗାଁଠୁ ସହର ସବୁଠି ନିର୍ବାଚନୀ ତାତି । ଭୋଟରଙ୍କୁ ମୋହିବା ପାଇଁ ଗାଁ ଦାଣ୍ଡରେ ପାଦରେ ଚାଲି ବୁଲୁଛନ୍ତି ନେତା ପ୍ରାର୍ଥୀ । ନିଜ ସମର୍ଥକଙ୍କୁ ନେଇ ଭୋଟ ଭିକ୍ଷା କରୁଛନ୍ତି । ତେବେ ଏପରି ପ୍ରଚାର ଯାତ୍ରାରେ ମଧ୍ୟ ଶଙ୍ଖୁଆ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ଶୁଭ ପାଇଁ ଏବଂ ଲୋକଙ୍କୁ ଆକୃଷ୍ଟ କରିବାକୁ ବାଜୁଛି ଶୁଭ ଶଙ୍ଖ । ତେବେ ବିଜୁ ଜନତା ଦଳର ନିର୍ବାଚନୀ ଚିହ୍ନ ହୋଇଥିବାରୁ ଉଭୟ କାମରେ ଆସୁଛି ଶଙ୍ଖୁଆଙ୍କ ଉପସ୍ଥିତି । ଘଣ୍ଟାଏ ଦୁଇଘଣ୍ଟା ରହିଲେ ମିଳିଯାଉଛି ଦୁଇ ଶହରୁ ପାଞ୍ଚ ଶହ ଟଙ୍କା ।