ଓଡିଶା

odisha

By ETV Bharat Odisha Team

Published : Sep 16, 2023, 8:51 PM IST

ETV Bharat / state

ଖଟିଆରେ ବୁହା ହେଲେ ରୋଗୀ, ଖଟିଆରେ ଫେରିଲା ମୃତଦେହ

ଦୀର୍ଘ 5 କିଲୋମିଟର ଖଟିଆରେ ବୁହା ହୋଇ ଚିକିତ୍ସା ପାଇଁ ଯାଇଥିଲେ ରୋଗୀ । ମୃତ୍ୟୁ ପରେ ସମାନ ଢଙ୍ଗରେ ଫେରିଛି ମୃତଦେହ। ଅଧିକ ପଢନ୍ତୁ

dead body carried on cot
ମୃତ୍ୟୁ ପରେ ବି ଖଟିଆ ଭରସା

ମୃତ୍ୟୁ ପରେ ବି ଖଟିଆ ଭରସା

ଫୁଲବାଣୀ:ଖଟିଆରେ ବୁହା ହୋଇ ଚିକିତ୍ସା ପାଇଁ ଗଲେ, ମୃତ୍ୟୁ ପରେ ସମାନ ଢଙ୍ଗରେ ଖଟିଆରେ ଫେରିଲା ମୃତଦେହ। ଏଭଳି ହୃଦୟବିଦାରକ ଘଟଣା ଘଟିଛି ଫିରିଙ୍ଗିଆ ବ୍ଲକ ଲୁଇସିଙ୍ଗ ପଞ୍ଚାୟତର ଡାଙ୍ଗଣାମ ଗ୍ରାମରେ। ସେହି ଗାଁର ବୁଗେରମାସ୍କା ସାହିର ସଂକୀର୍ତ୍ତନ ଭୋଇ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ହୋଇ ପଡିଥିଲେ। ରାସ୍ତା ସମସ୍ୟା ଯୋଗୁଁ ତାଙ୍କୁ ଖଟିଆରେ 5 କିଲୋମିଟର ବୋହି ଡାକ୍ତରଖାନା ନେବାକୁ ପଡିଥିଲା । ଏଭଳି ପରିସ୍ଥିତିରେ ସଂକୀର୍ତ୍ତନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ବୋଲି ମଧ୍ୟ କହିଛନ୍ତି ପରିବାରଲୋକେ ।ତେବେ ପରବର୍ତ୍ତୀ ସମୟରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଡାଙ୍ଗାଣାମ ଗ୍ରାମରେ ରାସ୍ତାଘାଟର ସୁବିଧା ନାହିଁ । କିଛି ଦିନ ହେଲା ଜିଲ୍ଲାରେ ବର୍ଷା ଲାଗି ରହିଥିବା କାରଣରୁ ଯାତାୟାତ କରିବା ମଧ୍ୟ କଷ୍ଟକର ହୋଇପଡ଼ଛି । ଖାଲି ସେତିକି ନୁହେଁ, ବିକାଶରୁ ବହୁ ଦୂରରେ ଥିବା ଏହି ଗ୍ରାମରେ ବିଦ୍ୟୁତ କିମ୍ବା ନେଟୱାର୍କ ସୁବିଧା ନଥିବାରୁ ସଂକୀର୍ତ୍ତନଙ୍କ ପରିବାର ସଦସ୍ୟ କାହାକୁ ଯୋଗାଯୋଗ କରିବାରେ ମଧ୍ୟ ସକ୍ଷମ ହୋଇପାରିନଥିଲେ । ପରେ ଫୁଲବାଣୀ ଡାକ୍ତରଖାନାକୁ ନେବାକୁ ସ୍ଥିର କରିଥିଲେ । ହେଲେ ରାସ୍ତାରେ ଥିବା ନାଳ ଲଗାଣ ବର୍ଷାରେ ଜଳମଗ୍ନ ହୋଇ ରାସ୍ତାକୁ ବିଛିନ୍ନ କରିଦେଇଥିବାରୁ ଡାକ୍ତରଖାନା ଯିବା ମଧ୍ୟ ସମ୍ଭବ ହୋଇନଥିଲା।

ଏହା ବି ପଢନ୍ତୁ...ଗାଁ ବିକାଶର ଆସଲି ଚିତ୍ର, ଖଟିଆରେ 8 କିମି ବୁହାହେଲେ ମ୍ୟାଲେରିଆ ରୋଗୀ

ଶେଷରେ ପରିବାର ଲୋକେ ଉପାୟ ନପାଇ ନିକଟସ୍ଥ ସୋନପୁର ନେବାକୁ ସ୍ଥିର କରିଥିଲେ । ଗ୍ରାମବାସୀଙ୍କ ସହାୟତାରେ ସଂକୀର୍ତ୍ତନଙ୍କୁ ସାନ ଭାଟୁଲି ଗ୍ରାମ ଦେଇ ଜଙ୍ଗଲ ପାହାଡ ବା ରେ ବଡ ଭାଟୁଲି ଗ୍ରାମକୁ 5 କିଲୋମିଟର ଖଟିଆରେ ବୋହିନେବାକୁ ପଡ଼ିଥିଲା। ମୁଖ୍ୟ ରାସ୍ତାକୁ ଆସିବା ପରେ ଗାଡ଼ିରେ ସୋନପୁର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଦୁଃଖର ବିଷୟ, ସେଠାରେ ସଂକୀର୍ତ୍ତନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ ମୃତଦେହ ନେଇ ବଡ ଭାଟୁଲି ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ରାସ୍ତା ନଥିବାରୁ ଅନ୍ଧାର ରାତିରେ ପାଣିଘେରରେ ମୃତଦେହକୁ ଦୀର୍ଘ 5 କିଲୋମିଟର କାନ୍ଧରେ ବୋହି ଗ୍ରାମକୁ ଆଣିଛନ୍ତି ଗ୍ରାମବାସୀ ଓ ସମ୍ପର୍କୀୟ।


ତେବେ ମୃତ୍ଯ ପରେ ମଧ୍ଯ ନିସ୍ତାର ନାହିଁ । ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ଯ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଲୋକେ l ବାରମ୍ବାର ରାସ୍ତା ସମସ୍ୟାର ଏବଳି ବିକଳ ଚିତ୍ର ସାମନାକୁ ଆସୁଛି। ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାବେଳେ କେତେବେଳେ କିଲୋମିଟର କିଲୋମିଟର ଧରି ଗର୍ଭବତୀଙ୍କୁ ଖଟିଆରେ ବୁହା ହେବାର ଦୃଶ୍ୟ ଦେଖିବାକୁ ମିଳୁଛି ତ ଆଉ କେତେବେଳେ ରୋଗୀକୁ ଟ୍ୟୁବ ସାହାଯ୍ୟରେ ନଦୀ ପାର କରିବାର ଦୃଶ୍ୟ ନଜରକୁ ଆସୁଛି। ଠିକ ସେହିଭଳି ପୁଣି ଥରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details