ଓଡିଶା

odisha

ETV Bharat / state

ନିଦ ହଜାଇଛି ଗୋପାଳନ ନିଶା, ଜାତୀୟସ୍ତରରେ ସମ୍ମାନିତ କାଳୀ ପ୍ରସନ୍ନ ବେହେରା - ଗୋପାଳକ କାଳୀପ୍ରସନ୍ନ ବେହେରା

ଅତି ସାଧାରଣ ଜୀବନଯାପନରେ ବିଶ୍ବାସ ରଖୁଥିବା କାଳୀ 1992 ମସିହାରେ ମାତ୍ର ଦୁଇଟି ଗାଈକୁ ନେଇ ଆରମ୍ଭ କରନ୍ତି ଯାତ୍ରା । ଯାହା ଆଜି ଦୀର୍ଘ 28 ବର୍ଷ ପରେ 2ଟି ଗାଈ ଫାର୍ମରେ 60ଟି ଗାଈ ଓ 2ଟି ସେଲିଂ ସେଣ୍ଟରରେ ପରିଣତ ହୋଇଛି ।

kandhamal latest news, successful cattle farmer kaliprasanna behera, kaliprasanna behera, cattle farmer kaliprasanna behera, cattle farming, କନ୍ଧମାଳ ଲାଟେଷ୍ଟ ନ୍ୟୁଜ୍‌, କନ୍ଧମାଳରେ ସଫଳ ଗୋପାଳକ କାଳୀପ୍ରସନ୍ନ ବେହେରା, କାଳୀପ୍ରସନ୍ନ ବେହେରା, ଗୋପାଳକ କାଳୀପ୍ରସନ୍ନ ବେହେରା, ଗୋପାଳନ
ନିଦ ହଜାଇଛି ଗୋପାଳନ ନିଶା, ଜାତୀୟସ୍ତରରେ ସମ୍ମାନୀତ କାଳୀ ପ୍ରସନ୍ନ ବେହେରା

By

Published : Jun 2, 2020, 10:24 PM IST

ଫୁଲବାଣୀ: କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ସାଧ୍ୟ ହୁଏ ଅସାଧ୍ୟ । ଦୂର ହୁଏ ଦୁର୍ଦ୍ଦିନ । ଏହାର ଏକ ନଜିର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁଡିପାଜୁ ଗ୍ରାମରେ । ଗାଁକରେ ରୁହନ୍ତି କାଳୀପ୍ରସନ୍ନ ବେହେରା । ଅତି ସାଧାରଣ ଜୀବନଯାପନରେ ବିଶ୍ବାସ ରଖୁଥିବା କାଳୀ 1992 ମସିହାରେ ମାତ୍ର ଦୁଇଟି ଗାଈକୁ ନେଇ ଆରମ୍ଭ କରନ୍ତି ଯାତ୍ରା । ଯାହା ଆଜି ଦୀର୍ଘ 28 ବର୍ଷ ପରେ 2ଟି ଗାଈ ଫାର୍ମରେ 60ଟି ଗାଈ ଓ 2ଟି ସେଲିଂ ସେଣ୍ଟରରେ ପରିଣତ ହୋଇଛି । ବର୍ତ୍ତମାନ କାଳୀ ନିଜେ ସ୍ବାବଲମ୍ବୀ ହେବା ସହ 5ଟି ପରିବାରକୁ ଯୋଗାଇଛନ୍ତି ରୋଜଗାରର ପନ୍ଥା ।

ନିଦ ହଜାଇଛି ଗୋପାଳନ ନିଶା, ଜାତୀୟସ୍ତରରେ ସମ୍ମାନୀତ କାଳୀ ପ୍ରସନ୍ନ ବେହେରା

ଗୋପାଳନର ନିଶା ନେଇ ମାତ୍ର ଦୁଇଟି ଗାଈଙ୍କୁ ଧରି ବ୍ୟବସାୟ ଆରମ୍ଭ କରିଥିଲେ କାଳୀ । ସମୟକ୍ରମେ ନିଷ୍ଠାପର ଗୋରୁସେବା ଓ ଦୃଢ ଇଚ୍ଛାଶକ୍ତି ପାଇଁ ବଢିଲା ଗୋପାଳନର ପରିସର । ଯୋଡି ହେଲେ ଅଧିକ ଲୋକ ଓ ବଢିଲା ରୋଜଗାର । ଏବେ ଗୁହାଳରେ ବିଭିନ୍ନ ବ୍ରିଡର ଗାଈଙ୍କୁ ରଖି କାଳୀ ଦୈନିକ ପ୍ରାୟ 1000 ଲିଟର ଦୁଗ୍ଧ ଉତ୍ପାଦନ କରୁଛନ୍ତି । ଏଥିସହ ଦୁଗ୍ଧଜାତ ଦ୍ରବ୍ୟ ଯଥା ପନୀର, ଛେନା, ଦହି ଓ ମିଠା ଆଦି ପ୍ରସ୍ତୁତ କରି ସେ ଲୋକଙ୍କୁ ଯୋଗାଉଛନ୍ତି । ସେପଟେ ଭେଜାଲ କ୍ଷୀର ଆଗରେ ଶୁଦ୍ଧ କ୍ଷୀର ପାଇପାରୁଥିବାରୁ ଗାଁ ଲୋକେ ମଧ୍ୟ କାଳୀଙ୍କ ପାଖରେ ଲଗାନ୍ତି ଲମ୍ବା ଲାଇନ ।

କେବଳ ଯେ ଗୋପାଳନ କରି ସେ ସ୍ବାବଲମ୍ବୀ ହୋଇଛନ୍ତି ତାହା ନୁହେଁ, ଗୁହାଳ ପଛପଟେ ସେ ରଖିଛନ୍ତି ଏକ ଗୋବର ଗ୍ୟାସ ପ୍ଲାଣ୍ଟ । ଏଠାରେ ଗୋବରୁ ପ୍ରସ୍ତୁତ ଇନ୍ଧନ ଗ୍ୟାସକୁ ବ୍ୟବହାର କରି ପାଞ୍ଚ ପରିବାରର ରୋଷେଇ ହୋଇଥାଏ । ସେହିପରି ଉଦ୍ୟାନ ବିଭାଗର ସହଯୋଗରେ ଭର୍ମିକମ୍ପୋଷ୍ଟ ପାଇଁ ସେ ଖଣ୍ଡିଏ ପିଟ ପ୍ରସ୍ତୁତ କରିଛନ୍ତି । ଏଠାରେ ବିଭିନ୍ନ ପ୍ରକାଶ ପନିପରିବା ଚାଷ କରୁଥିବାରୁ ତାଙ୍କୁ କେବେ ବଜାର ଉପରେ ନିର୍ଭର ହେବାକୁ ପଡିନି । ତେବେ କାଳୀଙ୍କର ଏହି ପରିଶ୍ରମ ପାଇଁ ସେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।

ଗୁଜୁରାଟର ଗାନ୍ଧୀନଗରରେ ତାଙ୍କୁ ମୋଦି ସମ୍ବର୍ଦ୍ଧିତ କରିବା ସହ ପ୍ରୋତ୍ସାହନ ସ୍ବରୂପ ଯୋଗାଇଥିଲେ 50 ହଜାର ଟଙ୍କାର ସହାୟତା ରାଶି । ଏହାପରେ ସତେ ଯେମିତି ଆଉ କେବେ ପଛକୁ ଚାହିଁ ନାହାନ୍ତି କାଳୀ । କଠିନ ପରିଶ୍ରମ ସାଙ୍ଗକୁ ସରଳ ସ୍ବଭାବ ପାଇଁ ସେ ଜିଲ୍ଲାରେ ସଭିଙ୍କ ପ୍ରିୟ ପାଲଟିଛନ୍ତି । କେବଳ ଜିଲ୍ଲା ନୁହେଁ ରାଜ୍ୟସ୍ତରରେ ମଧ୍ୟ ସେ ଅନେକ ଥର ଗୋପାଳନ ପାଇଁ ସମ୍ମାନୀତ ହୋଇସାରିଛନ୍ତି । ଗୋପାଳନ କରିବାକୁ ଚାହୁଁଥିବା ଅନେକ ଲୋକେ ଆସି କାଳୀଙ୍କଠାରୁ ଶିଖନ୍ତି ଛୋଟ ବଡ ସବୁ କଥା ।

ଗୋପାଳନ ଏତେ ସହଜ ନହେଲେ ବି ଏହାର ଲାଭ ଯିଏ ପାଇଛି ସେ ହିଁ ଏହାର ମହତ୍ତ୍ବ ବୁଝିଛି । କାଳୀ ନିଜର ପରିଶ୍ରମ ବଳରେ ଶୂନରୁ ଆରମ୍ଭ କରି ବର୍ତ୍ତମାନ ଜମିବାଡି, ଘରଦ୍ବାର, 3ଟି ଚାରିଚାକିଆ ଗାଡି ସହିତ ବାୟୋଗ୍ୟାସ ଓ କିଚେନ ଗାର୍ଡେନ ଆଦି ତିଆରି କରିପାରିଛନ୍ତି । ଏହା ବର୍ତ୍ତମାନର ପୀଢିକୁ ବହୁମାତ୍ରାରେ ପ୍ରେରଣା ଯୋଗାଇବ ନିଶ୍ଚୟ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details