ଫୁଲବାଣୀ: କନ୍ଧମାଳ ଜିଲ୍ଲା କାରାଗାରରୁ ପରିବା ବିକ୍ରି କରିବାକୁ ଜେଲଛକକୁ ଆସିଥିବା କଏଦୀ ଫେରାର ହୋଇଯାଇଛି । ସେ ଜଣେ ୱାର୍ଡରଙ୍କ ବାଇକ ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଫେରାର ହୋଇଥିବା ଅପରାଧୀ ନାବାଳିକା ଦୁଷ୍କର୍ମ ମାମଲାରେ କୋଡିଏ ବର୍ଷ ଦଣ୍ଡ ଭୋଗୁଥିବା କଏଦୀ ଗୋପିନାଥ ନାଏକ ବୋଲି ଜଣାପଡିଛି । ଏ ସମ୍ପର୍କରେ ଟାଉନ୍ ଥାନାରେ ଏତଲା ଦିଆଯିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ପରିବା ବିକିବାକୁ ଯାଇ ଚମ୍ପଟ ମାରିଲା କଏଦୀ - ଫୁଲବାଣୀ
କନ୍ଧମାଳ ଜିଲ୍ଲା କାରାଗାରରୁ ପରିବା ବିକ୍ରି କରିବାକୁ ଜେଲଛକକୁ ଆସିଥିବା କଏଦୀ ଫେରାର ହୋଇଯାଇଛି । ସେ ଜଣେ ୱାର୍ଡରଙ୍କ ବାଇକ ନେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଫେରାର ହୋଇଥିବା ଅପରାଧୀ ନାବାଳିକା ଦୁଷ୍କର୍ମ ମାମଲାରେ କୋଡିଏ ବର୍ଷ ଦଣ୍ଡ ଭୋଗୁଥିବା କଏଦୀ ଗୋପିନାଥ ନାଏକ ବୋଲି ଜଣାପଡିଛି ।
ପୋଲିସ ସୂଚନା ଅନୁସାରେ ପ୍ରତିଦିନ ଫୁଲବାଣୀର ଜିଲ୍ଲା କାରାଗାରରୁ କଏଦୀମାନେ ଉତ୍ପାଦିତ ପନିପରିବାକୁ ଆଣି ଜେଲ୍ ଛକରେ ୱାର୍ଡରଙ୍କ ଉପସ୍ଥିତିରେ ବିକ୍ରି କରନ୍ତି । ଆଜି ମଧ୍ୟ ପରିବା ଆଣି ବିକ୍ରି କରିବା ପରେ ୱାର୍ଡର ବିଭୂତି ଚରଣ ଦାସଙ୍କ ବାଇକକୁ ନେଇ କଏଦୀ ଗୋପିନାଥ କୁଆଡେ ଫେରାର୍ ହୋଇଯାଇଥିଲା । ଖୋଜାଖୋଜି କରିବା ପରେ କୌଣସି ପତ୍ତା ନ ମିଳିବାରୁ ଜେଲ୍ ଅଧୀକ୍ଷକ ଅନୁସୂୟା ଜେନା ଟାଉନ ଥାନାରେ ଏତଲା ଦେଇଥିଲେ । ଟାଉନ ଥାନା ପୋଲିସ 71-2019ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଚମ୍ପଟ ମାରିଥିବା କଏଦୀ ଗୋପିନାଥର ଘର ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଲଡପଙ୍ଗା ଗାଁରେ ବୋଲି ଜଣାପଡିଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ