ଫୁଲାବଣୀ: ପୁଣି ସକ୍ରିୟ ହୋଇ ଉଠିଛନ୍ତି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ । ଗଞ୍ଜେଇ ଅମଳ ଶେଷ ହେବା ପରେ ଜିଲ୍ଲା, ରାଜ୍ୟ ଓ ଦେଶ ବାହାରକୁ ଚାଲାଣ କରିବା ପାଇଁ ଏବେ ତତ୍ପର ହେଲେଣି ମାଫିଆ । ବେଆଇନ ଗଞ୍ଜେଇ ଚାଷ ଓ ବ୍ୟବସାୟର ସ୍ବର୍ଗ ପାଲଟିଥିବା କନ୍ଧମାଳରେ ଆଜି ଧରା ପଡିଛନ୍ତି ଦୁଇ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ । କନ୍ଧମାଳରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ ବେଳେ ଉଭୟଙ୍କୁ ଧରିଛି ପୋଲିସ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ ସୂଚନା ଅନୁଯାୟୀ ଜାମଝରି ଘାଟି ରାସ୍ତାରେ ଏକ ବୋଲେରୋରେ 30ଟି ଛୋଟ ବଡ ପ୍ୟାକେଟରେ 60 କିଲୋଗ୍ରାମ ଗଞ୍ଜେଇ ଧରି ଚାଲାଣ କରୁଥିବା ବେଳେ ଧରିଛି ଖଜୁରିପଡା ପୋଲିସ । ଏଥିସହ ଚାଲାଣରେ ବ୍ୟବହାର ହେଉଥିବା ଗଞ୍ଜେଇ ଓ ବୋଲେରୋକୁ ମଧ୍ୟ ପୋଲିସ ଜବତ କରିଛି ।
ପଶ୍ଚିମବଙ୍ଗ ମୁର୍ସିଦାବାଦ ଅନ୍ତର୍ଗତ ନରିଗଞ୍ଜବାଗାନ ଗାଁର ଦିଲିପ ମୋଣ୍ଡଲ ଏବଂ ଜିଆଙ୍ଗଭଟ୍ଟପଡାର ହାଇଦର ଶେଖକୁ ଗିରଫ କରିଛି ପୋଲିସ । ଏହାସହ ଅମଲାପଡାର ପ୍ରଦୀପ ସାହୁକୁ ମଧ୍ୟ ଗିରଫ କରାଯାଇଛି । ଓଡିଶାରୁ ପଶ୍ଚିମବଙ୍ଗ ଏବଂ ସେଠାରୁ ଦେଶ ବାହାରକୁ ଗଞ୍ଜେଇ ଚାଲାଣ କରାଯାଉଥିବା ଗିରଫମାନଙ୍କ ଠାରୁ ସୂଚନା ପାଇଛି ପୋଲିସ ।
ତେବେ ଗିରଫମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଯାଇଛନ୍ତି ଚାଲାଣକାରୀ । ପୋଲିସ ଏନେଇ 52/2019ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅନୀତା କିଡ୍ଡୋ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ