କଳାହାଣ୍ଡି: ଆଜି ଓଡିଶା ଗସ୍ତରେ ଆସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ସେ ଭବାନୀପାଟଣାରେ ଆୟୋଜିତ ବିଜେପିର ଜନସଭାରେ ଯୋଗ ଦେଇ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି । ଏହାସହ ସେ ପୁଲୱାମା ଆତଙ୍କୀ ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି ସୂଚନାନୁସାରେ ରାୟପୁରରୁ ହେଲିକପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟନାଥ । ଏହାପରେ କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ଜନସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି ଯୋଗୀ । ଏହି ଅବସରରେ ସେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶବୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଆତଙ୍କୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଏହାସହ ମୋଦି ସରକାରଙ୍କ ପ୍ରଶଂସା କରି ସେ କହିଛନ୍ତି ଯେ ଆତଙ୍କବାଦୀଙ୍କୁ ମୋଦି ସରକାର ଉଚିତ ଜବାବ ଦେବେ । ଗୁଳିର ଜବାବ ଗୁଳିରେ ଦିଆଯିବ । ମୋଦି ସରକାର ଗରିବ ଏବଂ କୃଷକଙ୍କ ପାଇଁ ଅନେକ କାମ କରୁଛନ୍ତି । ଆୟୁଷ୍ମାନ ଯୋଜନାରେ ଅନେକ ଭାରତୀୟ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି । ଆଗାମୀ ନିର୍ବାଚନ ପାଇଁ ସେ ଦଳୀୟ କର୍ମୀଙ୍କୁ ଉତ୍ସାହ ସହକାରେ କାମ କରିବା ପାଇଁ ଆହ୍ବାନ କରିଛନ୍ତି ।
ମାଆ ମାଣିକେଶ୍ୱରୀଙ୍କୁ ଦର୍ଶନ କରି ସେ ସୌଭାଗ୍ୟ ମନେ କରୁଛନ୍ତି ବୋଲି ଯୋଗୀ କହିଛନ୍ତି । ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜ୍ୟ ବିଜେପିର ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଏହି ସଭାରେ ଉପସ୍ଥିତ ଅଛନ୍ତି । ଏହି ସଭାରେ 5ଟି ଜିଲ୍ଲାର ବୁଥ କର୍ମକର୍ତ୍ତା ଓ ନେତା ଯୋଗ ଦେଇଛନ୍ତି । ପୂର୍ବରୁ ଓଡିଶାରେ ଉପସ୍ଥିତ ନେଇ ସେ ଉତ୍ସାହିତ ଥିବା ଆଦିତ୍ୟନାଥ କହିଥିଲେ ।
ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦରୁ ପୁରୁଷୋତ୍ତମ କ୍ଷେତ୍ର ତଥା ସନ୍ଥ ରାମାନୁଜଚାର୍ଯ୍ୟ ଏବଂ ଚୈତନ୍ୟ ମହାପ୍ରଭୁଙ୍କ କ୍ଷେତ୍ର ହେଉଛି ପୁରୀ । ଏହାରା ବାସ୍ତୁଶିଳ୍ପରେ ଆଭିଭୂତ ହୋଇଥିଲେ ରବୀନ୍ଦ୍ରନାଥ ଟାଗୋର ଆଉ କହିଥିଲେ ଏଠାରେ ମଣିଷ ଅପେକ୍ଷା ପଥରର ଭାଷା ଉତ୍କୃଷ୍ଟ । ହୁଏଂସାଂଗଙ୍କ ଭାରତ ଯାତ୍ରାରେ ଏହି ଉତ୍କଳ ଭୂମିର ସ୍ଥାନ ଥିଲା ମହତ୍ତ୍ବପୂର୍ଣ । ଏହି ଗୌରବମୟ ଇତିହାସ ଏବଂ ସଂସ୍କୃତି ସହ ଜଡିତ ଓଡିଶା ଓ ଏଠାକାର ସହୃଦୟ ଲୋକଙ୍କ ସହ ମିଶିବା ପାଇଁ କାର୍ଯ୍ୟକର୍ତ୍ତା ସମାବେଶରେ ଯୋଗ ଦେବା ନେଇ ସେ ଉତ୍ସାହିତ ଅଛନ୍ତି ବୋଲି ଯୋଗୀ ଓଡିଶା ଗସ୍ତ ପୂର୍ବରୁ କହିଥିଲେ ।
ସୂଚନାନୁସାରେ ଓଡିଶାରେ ୨ଟି ଜନସଭାରେ ଉଦବୋଧନ ଦେବେ ବିଜେପିର ଏହି ଷ୍ଟାର ପ୍ରଚାରକ । କଳାହାଣ୍ଡି ସଦର ମହୁକମା ଭବାନୀପାଟଣା ଏବଂ ଖୋର୍ଦ୍ଧା ନାଚୁଣି ଠାରେ ଦୁଇଟି ମେଗାରାଲିରେ ସାମିଲ ହେବେ ଯୋଗୀ ଆଦିତ୍ୟନାଥ । ଆସନ୍ତା ନିର୍ବାଚନରେ ବିଜେପିର ସ୍ଥିତିକୁ ଆହୁରି ଦୃଢ କରିବା ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଶେଷ ସୂଚନାନୁସାରେ ଆଉ ଅଳ୍ପ ସମୟ ମଧ୍ୟରେ ସେ ଭବାନୀପାଟଣା କାର୍ଯ୍ୟକ୍ରମ ସାରି ଖୋର୍ଦ୍ଧା ଅଭିମୁଖେ ବାହାରିଯିବେ । ଏଠାରେ ନାଚୁଣିରେ ଆୟୋଜିତ ବିଶାଳ ରାଲିରେ ସାମିଲ ହୋଇ କର୍ମୀଙ୍କ ଉତ୍ସାହ ବଢାଇବେ ଯୁପି ମୁଖ୍ୟମନ୍ତ୍ରୀ ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ