ଭବାନୀପାଟଣା :ପୋଲିସ ସ୍କାନରରେ ବେଆଇନ ଗଞ୍ଜେଇ ବେପାରୀ । ଆଜି (ବୁଧବାର) କଳାହାଣ୍ଡି ଜିଲ୍ଲା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ଏମ୍ ରାମପୁର ଥାନା ଅଞ୍ଚଳ ମାନିକେରା ଅଞ୍ଚଳରୁ ନୂଆପଡ଼ା ଜିଲ୍ଲା କୋମାନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିଲେ ଅଭିଯୁକ୍ତ । ତେବେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଜିଲ୍ଲା ସୀମାନ୍ତ ତେଲ ନଦୀ ନିକଟରେ ଉଭୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ।
କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବେଧଡ଼କ ଭାବରେ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଛି । ଅବକାରୀ ବିଭାଗ ଓ ପୋଲିସ ବିଭାଗ ଆଖିରେ ଧୂଳି ଦେଇ ବେଶ ଚତୁରତାର ସହ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ବୁଧବାର ମଧ୍ୟ ଦୁଇ ଅଭିଯୁକ୍ତ ଦୁଇଟି ବାଇକରେ ଗଞ୍ଜେଇ ଚାଲାଣ କରୁଥିଲେ । କଳାହାଣ୍ଡିଙ୍କ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଯୋଜନା ପ୍ରସ୍ତୁତ କରିଥିଲା କେସିଙ୍ଗା ପୋଲିସ । ଫଳରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ।