ଭବାନୀପାଟଣା:ଦୀର୍ଘ ବର୍ଷର ପୁରୁଣା ସହର ଭବାନୀପାଟଣା । ସହର ବଢିବା ସହ ବଢୁଛି ଜନସଂଖ୍ୟା । ଜିଲ୍ଲା ମୁଖ୍ୟାଳୟ ହେତୁ ଭବାନୀପାଟଣାକୁ ହଜାର ହଜାର ଲୋକେ ବିଭିନ୍ନ କାମ ପାଇଁ ଆସିଥାନ୍ତି । କିନ୍ତୁ ସହରର ବିଭିନ୍ନ ସ୍ଥାନରେ ଉଠା ପରିବା ଦୋକାନୀଙ୍କ ଜବରଦଖଲ ଯୋଗୁଁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରତିଦିନ ସହରର ଗାନ୍ଧୀ ମାର୍ଗ ରାସ୍ତାର ଉଭୟ ପାର୍ଶ୍ଵରେ ପରିବା ଦୋକାନୀଙ୍କ ଲମ୍ବା ଲାଇନ ଲାଗିବା କାରଣରୁ ଯାନବାହନ ଯିବା ତ ଦୂରର କଥା, ଚାଲିକି ଯିବା ବି ମୁସ୍କିଲ ହୋଇଯାଉଛି।
କେବଳ ଏହି ଗୋଟିଏ ରାସ୍ତା ନୁହେଁ, ମାଣିକେଶ୍ବରୀ ଛକ ଠାରୁ ପୁରୁଣା ସିନେମାହଲ ରାସ୍ତାର ସ୍ଥିତି ମଧ୍ୟ ସମାନ । ରାସ୍ତା ଉପରେ ଉଠା ଦୋକାନୀଙ୍କ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ଏଭଳି ସମସ୍ୟାର ସମାଧାନ ପାଇଁ ଗତ ୨୦୧୭-୧୮ ମସିହାରେ ସହରର କଲେଜ ଛକରେ ୬ଟି, ବ୍ୟାଙ୍କ ଛକରେ ୧୭ଟି, ମେଡିକାଲ ଛକରେ ୪୪ଟି, ଇରିଗେସନ ଛକରେ ୧୩ଟି ଓ ମଣିକେଶ୍ବରୀ ଛକ ନିକଟରେ ୮ ଟି କ୍ୟାବିନ ପ୍ରସ୍ତୁତ କରି ଭେଣ୍ଡିଂ ଜୋନ ନିର୍ମାଣ କାରିଥିଲା ପୌର ବିଭାଗ ।