ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଚାଲିଥିବା ଗଣ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି । ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଚାଲିଥିବା ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଧର୍ମଗଡ଼ ଓକିଲ ସଂଘ ସମେତ ବିଭିନ୍ନ ସାମାଜିକ ସଙ୍ଗଠନ । ଏହି ଦାବିକୁ ଯଥାର୍ଥତା ଜଣାଇ ସରକାର ତୁରନ୍ତ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ।
ଆଜକୁ ୭ ଦିନ ହେଲା ବିଭିନ୍ନ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ସାମିଲ ହୋଇ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଏହି ଗଣଧାରଣା ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଲିଥିବାବେଳେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି । ୧୯୯୨ ମସିହାରୁ ଧର୍ମଗଡକୁ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ନେଇ ଦାବି ହୋଇ ଆସୁଛି । ଏନେଇ ଅନେକ ସମୟ ଆନ୍ଦୋଳନ କରି ଆସୁଥିବାବେଳେ ଦାବି ଏଯାଏଁ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।
ବହୁ ବର୍ଷ ତଳେ ସ୍ବର୍ଗତ ବିଜୁ ପଟ୍ଟନାୟକ ଧର୍ମଗଡଠାରେ ଏକ ନିର୍ବାଚନୀ ସଭା କରିଥିଲେ । ଏହି ସଭାରେ ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଘୋଷଣା କରିଥିବ ବେଳେ ବିଜୁ ବାବୁଙ୍କ ଏହି ସ୍ବପ୍ନକୁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବରେ ପୂରଣ କରିବେ ବୋଲି ବେଶ ଆଶାବାଦୀ ଅଛନ୍ତି ଧର୍ମଗଡ଼ ଅଞ୍ଚଳବାସୀ । ହେଲେ ବାରମ୍ବାର ଆନ୍ଦୋଳନ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଧର୍ମଗଡବାସୀଙ୍କ ଏହି ଆନ୍ଦୋଳନକୁ ସରକାର କର୍ଣ୍ଣପାତ କରୁନଥିବା ନେଇ ଅଭିଯୋଗ ହୋଇଛି ।