ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅଞ୍ଚଳରେ ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣା । 2 ମାସ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ଜମାକାରୀମାନଙ୍କ ଅଜାଣତରେ ଜମାଖାତାରେ ଆଧାର ସଂଯୋଗ କରି ବାୟୋମେଟ୍ରିକ ଟିପ ଚିହ୍ନ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିଲା ଅଭିଯୁକ୍ତ ।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ଗ୍ରାମର ଜଗଦୀଶ ଚନ୍ଦ୍ର ସିଂ ଆମପାଣି ଷ୍ଟେଟ୍ ବ୍ୟାଙ୍କ୍ ଦ୍ୱାରା ଅନୁବନ୍ଧିତ ଏକ ଗ୍ରାହକ ସେବା କେନ୍ଦ୍ର ନିଜ ନାମରେ ଖୋଲି ବ୍ୟାଙ୍କ ସେବା ପ୍ରଦାନ କରି ଆସୁଥିଲେ । ଜମାକାରୀଙ୍କ ଅଜାଣତରେ ଆଧାର ସଂଯୋଗ ଥିବା ବାୟୋମେଟ୍ରିକ୍ ଟିପ ଚିହ୍ନ ନେଇ ସେମାନଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଫେରାର ହୋଇଥିଲେ । ଗ୍ରାହକ ସେବା କେନ୍ଦ୍ର ବନ୍ଦ ରହିବା ପରେ ଜମାକାରୀ ମାନେ ନିଜ ଆକାଉଣ୍ଟ ଚେକ୍ କରିବା ବେଳକୁ ସେମାନଙ୍କ ସଞ୍ଚୟ ଜମାଖାତାରେ ଟଙ୍କା ନଥିବା ଜାଣିବାକୁ ପାଇଲେ । ପରେ ଏନେଇ ଜମାକାରୀମାନେ ଆମପାଣି ଷ୍ଟେଟ ବ୍ୟାଙ୍କ ପରିଚାଳକଙ୍କୁ ଅଭିଯୋଗ କରିଥିଲେ ।
ଏହାମଧ୍ୟ ପଢନ୍ତୁ..ବ୍ୟାଙ୍କରେ ତାଲା ପକାଇଲେ ଜମାକାରୀ, ହଡପ ଟଙ୍କା ଫେରସ୍ତ ଦାବି
ଅଭିଯୋଗ ପାଇବା ପରେ ଅଭିଯୋଗକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ଯାଞ୍ଚ କରିଥିଲେ ମ୍ୟାନେଜର । ତେବେ ସମସ୍ତ ଅଭିଯୋଗକାରୀ ଜମାକାରୀଙ୍କ ଆକାଉଣ୍ଟରୁ ଜଗଦୀଶ ସିଂ ନିଜ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଟଙ୍କା ଟ୍ରାନ୍ସଫର ହୋଇଥିବା ଜାଣିବାକୁ ପାଇଥିଲେ ବ୍ୟାଙ୍କ ମ୍ୟାନେଜର । ପରେ ବ୍ୟାଙ୍କ ମ୍ୟାନେଜର ଗତ ଅଗଷ୍ଟ ମାସ 7 ତାରିଖ ଦିନ ଏ ସଂକ୍ରାନ୍ତରେ ଆମପାଣି ଥାନାରେ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଜଗଦୀଶ ଚନ୍ଦ୍ର ସିଂଙ୍କ ନାଁ'ରେ ଅଭିଯୋଗ କରିଥିଲେ ।