ଭବାନୀପାଟଣା:ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନ ସାଧାରଣ । ହସ୍ପିଟାଲ ଅଛି କିନ୍ତୁ ଚିକିତ୍ସା ପାଇଁ ନାହାନ୍ତି ଡାକ୍ତର । ଫଳରେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏଭଳି ନାହିଁ ନାହିଁରେ ଚାଲିଛି । ଏଠାରେ ଖାଲି ପଡିଛି ମେଡିସିନ ଓ ସର୍ଜରୀ ବିଶେଷଜ୍ଞ ଡାକ୍ତର ପଦବୀ । କିନ୍ତୁ ବାରମ୍ବାର ଦାବି ପରେ ଆଜି ପର୍ଯ୍ୟନ୍ତ ଏହି ଦୁଇଟି ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଏଥିସହ ବନ୍ଦ ପଡିଥିବା ରକ୍ତ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ଓ ହସ୍ପିଟାଲକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ମାନ୍ୟତା ଦାବି ନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି ।
ଜୁନାଗଡ଼ ଡାକ୍ତରଖାନା ଜିଲ୍ଲାର ଏକ ପ୍ରମୁଖ ଡାକ୍ତରଖାନା ହୋଇଥିବା ବେଳେ ସରକାରଙ୍କ ଅବହେଳା ଯୋଗୁଁ ଦୀର୍ଘ ଦିନରୁ ଡାକ୍ତର ପଦବୀ ଓ ଆନୁସଙ୍ଗିକ ଭିତ୍ତିଭୂମି ଅଭାବ ସହ ବିଭିନ୍ନ ସମସ୍ୟା ଲାଗି ରହିଛି ଏଠାରେ । ଏନେଇ ଜୁନାଗଡବାସୀ ସରକାରଙ୍କ ନିକଟରେ ଅନେକ ଥର ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରିନାହିଁ । ଫଳରେ ଡାକ୍ତରଖାନା ଉପରେ ନିର୍ଭର କରି ବ୍ଲକ, ଏନଏସି ଓ ପଡୋଶୀ ବ୍ଲକର ପ୍ରାୟ 6 ଲକ୍ଷ ଲୋକ ଉପଯୁକ୍ତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ।
ଜୁନାଗଡ଼ ଡାକ୍ତରଖାନା ୧୯୩୨ ମସିହାରେ ସ୍ଥାପିତ ହୋଇଥିଲା । କିନ୍ତୁ ଏଠାରେ ଏବେ ଅନେକ ସମସ୍ୟା ରହିଛି । ଏହି ଡାକ୍ତରଖାନାକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ମାନ୍ୟତା ପ୍ରଦାନ ସହ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିସିନ ଓ ସର୍ଜରୀ, ଆନେସ୍ପେସିୟା ବିଶେଷଜ୍ଞ ଖୁବଶୀଘ୍ର ନିଯୁକ୍ତି କରିବା ପାଇଁ ସଚେତନ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି ।