ଭବାନୀପାଟଣା:ବର୍ଷା ଜଳ ସଂରକ୍ଷିତ କରିବା ପାଇଁ କଳାହାଣ୍ତି ଜିଲ୍ଲା ଧର୍ମଗଡ଼ ଏନଏସି ପକ୍ଷରୁ ନୂତନ ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନାରେ ରାଜ୍ୟର ସମସ୍ତ ପୌରାଞ୍ଚଳରେ ବର୍ଷାଜଳ ଅମଳ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ଏନେଇ ବୁଧବାର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ଧର୍ମଗଡ଼ ଉପଜିଲ୍ଲାପାଳ ପାଓ୍ବାର ସଚିନ ପ୍ରକାଶ (Pawar Sachin Prakash )ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଧର୍ମଗଡ ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି ଓ ଉପାଧ୍ୟକ୍ଷା ମନୀଷା ରାଣୀ ମିଶ୍ର ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସଂପ୍ରତି ଭୂପୃଷ୍ଠରୁ ଜଳସ୍ତର କ୍ରମଶଃ କମି ଆସୁଛି । ବର୍ଷା ଜଳକୁ ଏବେଠାରୁ ସଂରକ୍ଷଣ ପାଇଁ ସମସ୍ତେ ଚିନ୍ତା କରିବାକୁ ହେବ । ଆଗାମୀ ପିଢ଼ି ଯେପରି ଜଳକଷ୍ଟ ନ ଭୋଗିବେ ସେଥିପାଇଁ ବର୍ଷା ଜଳ ସଂରକ୍ଷଣ ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଉପଜିଲ୍ଲାପାଳ ସମସ୍ତଙ୍କୁ କହିଛନ୍ତି । ଏହି ବୈଠକରେ ଧର୍ମଗଡ ଏନଏସିର କନିଷ୍ଠ ଯନ୍ତ୍ରୀ ରାଧାମୋହନ ରାୟ ବର୍ଷା ଜଳ ସଂରକ୍ଷଣ କିପରି କରାଯାଇ ପାରିବ । ଏଥିପାଇଁ କିପରି କମ ଖର୍ଚ୍ଚରେ ସୋ ପିଟ ନିର୍ମାଣ ହେବ ତାହା ଉପରେ ସୂଚନା ପ୍ରଦାନ କରିଥିଲେ ।