ଭବାନୀପାଟଣା: ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର । ଗାଁକୁ ରାସ୍ତା ନ ଥିବାରୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ l ଗାଁକୁ ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହାହେଲେ ରୋଗୀ । 2 କିମି ବୁହା ପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଲେ ରୋଗୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଗଡ଼ ବ୍ଲକ ଅନ୍ତର୍ଗତ ସେମେଲପଦର ଗାଁରେ ।
ସୂଚନା ଅନୁଯାୟୀ, ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ସେମେଲପଦର ଗାଁର ଗତ କିଛି ହେଲା ଡାଇରିଆ ଆତଙ୍କ ଦେଖା ଦେଇଛି । ବର୍ତ୍ତମାନ ସୁଦ୍ଧା ଗାଁର ୫ରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଗାଁର ବେଣୁଧର ଗଉଡ଼ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ପରିବାର ଲୋକେ ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇଁ ଆମ୍ବୁଲାନ୍ସ ଆସିଥିଲା । ହେଲେ ବେଣୁଧରଙ୍କ ଘର ପାଖରେ ପହଞ୍ଚି ପାରିନଥିଲା । ରାସ୍ତା ନଥିବାରୁ ଅଧା ବାଟରେ ଅଟକିଥିଲା ଆମ୍ବୁଲାନ୍ସ ।
ଭଲ ରାସ୍ତା ଓ ପୋଲ ନଥିବା ଯୋଗୁଁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ । ଗାଁ ନିକଟରେ ଥିବା ନାଳରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସଟି ଯାଇ ପାରି ନଥିଲା । ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ଖଟିଆରେ ରୋଗୀଙ୍କୁ ୨ କିଲୋମିଟର ବୋହି ନାଳ ପାର କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ବିଶ୍ବନାଥପୁର ମେଡ଼ିକାଲକୁ ନିଆଯାଇଥିଲା । ବର୍ତ୍ତମାନ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଡାଇରିଆ ନେଇ ଗାଁରେ ମେଡ଼ିକାଲ ଟିମ ପହଞ୍ଚିଥିବା ଜଣାପଡିଛି ।