ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଭଲ ରାସ୍ତାଟିଏ ନଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ହସ୍ପିଟାଲ ଯିବା ପାଇଁ ଖଟିଆରେ ବୁହାହେଲେ ରୋଗୀ । ଠିକ୍ ସମୟରେ ଚିକିତ୍ସା ନପାଇ ହସ୍ପିଟାଲ ବେଡ୍ରେ ଆଖି ବୁଜିଲେ । ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ କଳାହାଣ୍ଡିର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ପୁଇଝରୀ ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୪୦ କିଲୋମିଟର ଦୂରରେ ଅବସ୍ଥିତ ପୁଇଝରୀ ଗାଁ । ଏହି ଗାଁର ଜାମିନୀ ମାଝୀ ଉର୍ଳାଦାନୀ ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ । ସେଠାରେ ତାଙ୍କୁ ଜ୍ଵର ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ପରିବାର ଲୋକେ ବହୁ କଷ୍ଟରେ ତାଙ୍କୁ ଗାଁକୁ ନେଇ ଯାଇଥିଲେ । ଘରେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକେ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା । ଯାହାଫଳରେ ପରିବାର, ଗ୍ରାମବାସୀ ଓ ସମ୍ପର୍କୀୟ ମିଶି ଗୁରୁତର ଅବସ୍ଥାରେ ଜମିନୀଙ୍କୁ ଖଟିଆରେ ବୋହି ଜଙ୍ଗଲ ରାସ୍ତାରେ ଉର୍ଳାଦାନୀରେ ପହଞ୍ଚି ଥିଲେ ।