ଭବାନୀପାଟଣା:ଗର୍ଭବତୀ ହେଲେ ନାବାଳିକା । କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟ ନାବାଳିକା ପାଞ୍ଚ ମାସର ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗର୍ଭବତୀ ନାବାଳିକା ନ୍ୟାୟ ପାଇଁ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ସୁଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପାତ୍ରବସା ଗାଁର ରିତେଶ ରାଉତ ନାମକ ଜଣେ ଯୁବକ କଲମପୁର ଥାନା ଅଞ୍ଚଲର ଜଣେ ନାବାଳିକାକ ସହ ୧ ବର୍ଷ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ ହେବା ସହ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ ରିତେଶ । ଆଉ ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ ଜଣକ ।
ପରେ ନାବାଳିକା ଜଣକ ପାଞ୍ଚ ମାସର ଗର୍ଭବତୀ ହେବା ଜାଣିବା ପରେ ପ୍ରେମିକ ଜଣକ ବିବାହ କରିବାକୁ ସିଧାସଳଖ ମନା କରି ଦେଇଥିଲା । ଫଳରେ ନାବାଳିକାଙ୍କ ପରିବାର ଲୋକେ ଏହା ଜାଣିବା ପରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି । ପରିବାର ଲୋକେ ଘଟଣାକୁ ନେଇ କଲମପୁର ଥାନାରେ ଲିଖିତ ଅଭଯୋଗ କରିବା ପରେ ପୋଲିସ୍ ଏନେଇ ଏକ ମାମଲା ରୁଜୁ କରିଛି । ଏଥିସହ ଅଭିଯୁକ୍ତ ପ୍ରେମିକ ରିତେଶ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାକୁ ଶିଶୁ ସୁରକ୍ଷା ଗୃହକୁ ପଠାଇ ଦେଇଛି ପୋଲିସ । ତେବେ କଲମପୁର ଅଞ୍ଚଳରେ ଏହି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି । ଏ ଦିଗରେ ସାମାଜିକ ସଚେତନତା ସହ ପ୍ରଶାସନ ବିହିତ ପଦକ୍ଷେପ ନେଲେ ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ରୋକ୍ ଲଗାଯାଇ ପାରିବ ।