ଭବାନୀପାଟଣା:ଦୁର୍ଗମ ଅଞ୍ଚଳରେ ଡ଼ାଇରିଆ ଆତଙ୍କ । କଳାହାଣ୍ଡି ଜିଲ୍ଲାରେ ଥମୁନି ଡାଇରିଆ ଆତଙ୍କ । ଗୋଟିଏ ପରେ ଗୋଟିଏ ଗାଁ ରେ ଡାଇରିଆ ବ୍ୟାପିବାରେ ଲାଗିଛି । ଏବେ ଜୟନ୍ତପୁର ଗାଁରେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି । ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଓ ଜନ ସଚେତନତା ଅଭାବରୁ ଲୋକେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାରେ ଗତ ମାସେ ହେବ ଡାଇରିଆ ଆତଙ୍କ ଦେଖା ଦେଇଛି । ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଜୟନ୍ତପୁର ଗାଁରେ ଗତ ୩ ଦିନ ହେଲା ଡାଇରିଆ ବ୍ୟାପିଥିବା ଜଣାପଡିଛି । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଗତ ୩ ଦିନ ମଧ୍ୟରେ ୫ରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତ ଆକ୍ରାନ୍ତ ଙ୍କୁ ଧର୍ମଗଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ତେବେ ଆଜି ପୁଣି ଜୟନ୍ତପୁର ଗାଁର ୬ ଜଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସେପଟେ ଗାଁରେ କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପୁଛି ସେନେଇ କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଗାଁରେ ମେଡ଼ିକାଲ ଟିମ ପହଞ୍ଚି ଲୋକଙ୍କୁ ଚିକିତ୍ସାସେବା ଯୋଗାଇବା ସହ ଗ୍ରାମବାସୀ ଙ୍କୁ ସଚେତନ କରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ଜିଲ୍ଲାର ଥୁଆମୂଳ ରାମପୁର,ଲାଞ୍ଜିଗଡ଼ ଓ ମଦନପୁର ରାମପୁର ଅଞ୍ଚଳରେ ଡାଇରିଆ ସ୍ଥିତି ଜଟିଳ ଥିବା ବେଳେ ବର୍ତ୍ତମାନ ଏ ସବୁ ବ୍ଳକରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।