ଭବାନୀପାଟଣା:କଳାହାଣ୍ଡିରେ ଅନୁଷ୍ଠିତ ହୋଇଛି ମା ସର୍ବମଙ୍ଗଳାଙ୍କ ଛତର ଯାତ୍ରା । ଯାତ୍ରା ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ମା'ଙ୍କୁ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ । ପାର୍ବଣ ଋତୁରେ ଧରାପୃଷ୍ଠକୁ ଅବତରଣ ପରେ ମେଲାଣି ପାଇଁ ସବୁଠି ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ମା'ଙ୍କ ନିକଟରେ ବଳି ପୂଜା ହେଉଥିବା ବେଳେ ଚିଲିଗୁଡା ଗାଁର ଅଧିଷ୍ଠାତ୍ରୀ ଦେବୀ ମା' ସର୍ବମଙ୍ଗଳାଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ମା'ଙ୍କୁ ରକ୍ତଭୋଗ ବଦଲରେ ଶୁକ୍ଳଭୋଗ ଧୂପ, ମନ୍ଦାରମାଳ କଦଳୀ, ମୁଆଁ, ନଡ଼ିଆ ଭୋଗଲାଗି କରି ପୂଜାର୍ଚ୍ଚନା କରାଯାଇଛି ।
ଚିଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା' ସର୍ବମଙ୍ଗଳାଙ୍କ ଛତରଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ମଧ୍ୟରାତ୍ରୀରେ ଦେବୀଙ୍କ ଛତର ମନ୍ଦିରରୁ ବାହାରି ଗାଁ ଗୌନ୍ତିଆ ଘରକୁ ଆସିଥାନ୍ତି । ତା ପରଦିନ ଦେବୀଙ୍କ ପ୍ରତିମା ଛତର ରୂପରେ ଚିଲିଗୁଡ଼ାର ଗୌନ୍ତିଆ ବିନୋଦ ବିହାରୀ ସିଂଙ୍କ ଘରୁ ପୂଜାର୍ଚ୍ଚନା ପରେ ମନ୍ଦିର ଅଭିମୁଖେ ବାହାରିଥିଲେ । ଦେବୀଙ୍କ ଛତର ବାହାରିବା ପରେ ହଜାରହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ସହ ମାନସିକ କରିଥିଲେ। ଦେବୀଙ୍କ ବିଜୟ ଛତର ଯାତ୍ରା ଗାଁ ପରିକ୍ରମା ସମୟରେ ଉତ୍ସବ ମୁଖର ହୋଇ ପଡ଼ିଥିଲା ସମଗ୍ର ଅଞ୍ଚଳ ।
ଏହା ବି ପଢନ୍ତୁ...ରାଜନଗର ନିଆରା ଭସାଣ ଉତ୍ସବ, ଚାପ ଖେଳି ବିଦାୟ ନିଅନ୍ତି ମା'