ଭବାନୀପାଟଣା: ମୌସୁମୀ ବର୍ଷାର ଲୁଚକାଳି ଖେଳ ଚାଷୀଙ୍କ ନିଦ ହଜାଇ ଦେଇଛି । ଗତ ମାସରେ ମୌସୁମୀ ଛୁଇଁବା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା । ମୈସୁମୀର ପ୍ରଥମ ବର୍ଷା ଦେଖି ଚାଷୀ ମୁହଁରେ ହସ ଫୁଟିଥିଲା । ଆଶା ରଖିଥିଲେ ଭଲରେ ବର୍ଷା ହେଲେ ଜମିରେ ତଳି ପକାଇବେ । କିନ୍ତୁ ପରବର୍ତ୍ତି ସମୟରେ ଆଉ ବର୍ଷାର ଦେଖାନାହିଁ । ଫଳରେ ଆଗେଇ ପାରୁନି ଚାଷ କାମ । ଫଳରେ ମରୁଡି ଆଶଙ୍କା ନେଇ ଚିନ୍ତାରେ ଚାଷୀକୂଳ । ଯେଉଁ ଜମି ବର୍ତ୍ତମାନ ସବୁଜ ସୁନ୍ଦର ଦେଖାଯିବା କଥା ତାହା ଏବେ ସୁଖିଲା ପଡିଛି ।
ଜିଲ୍ଲାକୁ ମୌସୁମୀ ଛୁଇଁବା ପରେ ବର୍ଷା ହୋଇଥିଲା । ଏହି ସମୟରେ କିଛି ଅଞ୍ଚଳର ଚାଷୀ ହଳ ନଙ୍ଗଳ କରି ତଳି ପକାଇବାକୁ ସଜବାଜ ହୋଇଥିଲେ । ହେଲେ ତା ପରଠାରୁ ଜିଲ୍ଲାରେ ବର୍ଷାର ଆଉ ଦେଖା ନାହିଁ । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୨୬ ପ୍ରତିଶତ କମ ବର୍ଷା ହୋଇଥିବା ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଜଣା ଯାଇଛି । ଜିଲ୍ଲାରେ ଜୁନ୍ ମାସରେ ଗତ ୨୦୨୧ ମସିହାରେ ୧୫୮ ମିମି, ୨୦୨୨ ମସିହାରେ ୧୪୫ ମିମି ବର୍ଷା ରେକର୍ଡ କରାଯାଇଥିଲା । ଚଳିତ ବର୍ଷ କିନ୍ତୁ ଜୁନ୍ ମାସରେ ହୋଇଛି ମାତ୍ର ୮୦.୪୩ ମିମି ବର୍ଷା । ଯାହାକି ଚାଷୀଙ୍କ ଉପରେ ସିଧା ସଳଖ ପ୍ରଭାବ ପକାଇଛି ।
ଜିଲ୍ଲାର ୮୦ ପ୍ରତିଶତରୁ ଅଧିକ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଓଡ଼ିଶାରେ ବରଗଡ଼ ପରେ କଳାହାଣ୍ଡି ଧାନ ଉତ୍ପାଦନ ପାଇଁ ସମଗ୍ର ରାଜ୍ୟରେ ପରିଚିତ ହୋଇଛି । ଜିଲ୍ଲାରେ ଉନ୍ନତମାନର ଧାନ ଚାଷ ଉତ୍ପାଦନ ହେଉଥିବା ବେଳେ ଚାଉଳ ଆଜି ବିଦେଶକୁ ରପ୍ତାନି ହେଉଛି । ଯାହାଦ୍ୱାରା ଚାଷୀ ମାନଙ୍କ ଆର୍ଥୀକ ମାନଦଣ୍ଡ ବେଶ ସୃଦୃଢ ହୋଇ ପାରିଛି । ଇନ୍ଦ୍ରାବତୀ ବହୁମୁଖି ଜଳ ବିଦ୍ୟୁତ ପ୍ରକଳ୍ପ ଦ୍ୱାରା କେନାଲ ମାଧ୍ୟମରେ ଇନ୍ଦ୍ରାବତୀ ପାଣି ପାଇ ଏଠାକାର ଚାଷୀମାନେ ଉଭୟ ଖରିଫ ଏବଂ ରବି ଚାଷ ଭଳି ଦୁଇ କିସମର ଫସଲ ଚାଷ କରିଥାନ୍ତି ।