ଭବାନୀପାଟଣା: ଆସିଛି ପର୍ଯ୍ୟଟନ ଋତୁ। କଳାହାଣ୍ଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ କରୁଛି ଆନମନା। ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି ଫୁର୍ଲିଝରନ ଓ ରାବଣ ଧାର ଜଳପ୍ରପାତ ର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି ଆନମନା ।
ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘାର କଳାହାଣ୍ଡି ଜିଲ୍ଲା । ଘଞ୍ଚ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଛୋଟ ବଡ ଅନେକ ଜଳପ୍ରପାତ ରହିଛି। ଯାହା ରାଜ୍ୟ ତଥା ରାଜ୍ୟ ବାହାର ଅନେକ ପର୍ଯ୍ୟଟକଙ୍କୁ ଟାଣି ଆଣିଛି କାରଣ ଆସିଛି ପର୍ଯ୍ୟଟନ ଋତୁ। ପ୍ରକୃତ କୋଳରେ କିଛି ସମୟ ଅତି ବାହିତ କରିବା ପାଇଁ କିଏ ବା ନଚାହେଁ। ଆଉ ଯେତେବେଳେ ପର୍ଯ୍ୟଟନ ଋତୁ ଆସେ ସମସ୍ତଙ୍କ ମନରେ ଉଙ୍କି ମାରେ କଳାହାଣ୍ଡି ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ବୁଲି ଦେଖିବା ପାଇଁ।
ତେବେ ଭବାନୀପାଟଣା ସଦର ମହକୁମାର ଅନତି ଦୂରରେ ଅବସ୍ଥିତ ରାବଣ ଧାର ଜଳପ୍ରପାତ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ରାବଣ ଧାର ଜଳପ୍ରପାତରେ ବନ ବିଭାଗ ପକ୍ଷରୁ ଏକ ରେସ୍ତୋରାଁ ମଧ୍ୟ ଖୋଲାଯାଇଛି। ଏହା ସହ ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିବା ପାଇଁ ଅନେକ ଗୁଡିଏ ନବୀକରଣ ମଧ୍ୟ କରାଯାଇଛି। ଯେଉଁଥି ପାଇଁ ଏଠାକୁ ଛୁଟି ଆସିଛନ୍ତି ଅନେକ ପର୍ଯ୍ୟଟକ।
ତେବେ କିଏ ବଣଭୋଜିର ମଜା ନେଉଛି ତ ପୁଣି ଆଉ କିଏ ନିଜ କ୍ୟାମେରା ଲେନ୍ସ ରେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ କଏଦ କରୁଛି। ସେପଟେ ଯୁବ ପିଢ଼ି ମଧ୍ୟ ସେଲ୍ଫି ଓ ରିଲସ ତିଆରି କରି ଏହାର ଖୁବ ମଜା ଉଠାଉଛନ୍ତି । ହେଲେ ରାବଣଧାରା ଜଳପ୍ରପାତ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ପର୍ଯ୍ୟଟକମାନେ ଦାବି କରିଛନ୍ତି।