ଭବାନୀପାଟଣା: ଫଳ ରାଜା ଆମ୍ଭ । ଆମ୍ଭ ଖାଇବାକୁ କାହାକୁ ବା ଭଲ ନ ଲାଗେ । ଖରା ଦିନ ଆସିଲେ ଗଛରେ ଆମ୍ଭ ପାଚେ ସେହି ଆମ୍ଭକୁ ବିକ୍ରି କରି ବେଶ ଦୁଇ ପାଇସା ରୋଜଗାର କରେ ଚାଷୀ । ଆମ୍ଭ ପାଟିକୁ ଯେମିତି ସୁଆଦିଆ ଲାଗେ ସେହିପରି ଆମ୍ଭ ଚାଷୀକୁ ବେଶ ଦୁଇ ପାଇସା ରୋଜଗାର କରାଇଥାଏ । କିନ୍ତୁ ଚଳିତ ବର୍ଷ କଳାହାଣ୍ଡିର ଆମ୍ଭ ଚାଷୀଙ୍କ ପାଇଁ ଦୁଃଖ ଆଣିଦେଇଛି ପ୍ରକୃତି । ବିଗତ ବର୍ଷ ମାନଙ୍କରେ ଯେଉଁ ଗଛରେ ଆମ୍ଭ ଭର୍ତ୍ତି ହେଉଥିଲା, ସେହିଗଛରେ ଆମ୍ଭ ଖୋଜିବାକୁ ପଡୁଛି ।
ଫଳରେ ଭଲ ଦୁଇ ପଇସା ରୋଜଗାର ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ । କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଳକରେ ହଜାର ହଜାର କ୍ୱିଣ୍ଟାଲ ଆମ୍ଭ ଉତ୍ପାଦନ ହୋଇଥାଏ । ଜାହାଙ୍ଗୀର, ଗୁଲାବଖସ, ମଳିକା, ବାଇଗଣଫଳି, କଳାପାହାଡ଼ ଭଳି ୬୦ରୁ ଅଧିକ କିସମର ଆମ୍ଭ ଜିଲ୍ଲାରେ ଉତ୍ପାଦନ ହୋଇଥାଏ । ପାଖାପାଖି ୧୫ ହଜାର ହେକ୍ଟର ଜମିରେ ଚାଷୀ ଆମ୍ଭ ଉତ୍ପାଦନ କରିଥାନ୍ତି ।