ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କଲବଲ କରୁଛି ଗ୍ରୀଷ୍ମ ତାତି । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ସକାଳ ୧୧ ଟାରୁ ୩ଟା ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଅନୁଭୂତ ହେଉଛି । ଯାହା ଫଳରେ ଦିନ ୧୧ଟା ପରେ ଘରୁ ବାହାରିବା ସହରବାସୀଙ୍କ ପାଇଁ ଏକ ପ୍ରକାର କଷ୍ଟସାଧ୍ୟ ହୋଇପଡୁଛି । ବର୍ତ୍ତମାନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ଜଣାପଡିଛି ।
ଏହା ମଧ୍ୟ ପଢ଼ନ୍ତୁ:Weather Update: ରଜରେ ବି କଲବଲ କରିବ ତାତି, 15 ପରେ ପ୍ରାକ ମୌସୁମୀ ଆସିବା ସମ୍ଭାବନା
ପ୍ରଚଣ୍ଡ ରୌଦ୍ର ତାପରେ ଭୟଭୀତ ଜୀବଜଗତ । ଜରୁରୀ କାମ ଥିଲେ ହିଁ ଲୋକ ମୁଣ୍ଡରେ ଟୋପି କିମ୍ବା ଗାମୁଛା ସାଙ୍ଗକୁ ମୁହଁରେ କଳା ଚଷମା ଓ ପାଣି ବୋତଲ ନେଇ ବାହାରକୁ ବାହାରୁଥିବା ଦେଖିବାକୁ ମିଳୁଛି । ସେହିପରି ଗତ କିଛି ଦିନ ହେଲା ଜିଲ୍ଲାରେ ତାପମାତ୍ର ଅଧିକ ରହୁଥିବାରୁ ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ ଜମୁଛି । ଅନ୍ୟପଟେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସମସ୍ୟା ଓ ଆଘୋଷିତ ବିଦ୍ୟୁତ କାଟ ଏବେ ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଏନେଇ ଜିଲ୍ଲାବାସୀ କହିଛନ୍ତି, "ସୌନ୍ଦର୍ଯ୍ୟକରଣ ନାଁରେ ସହରରୁ ସମସ୍ତ ଗଛ କାଟିଦିଆଗଲା । ଯାହା ଫଳରେ ଅଧିକ ମାତ୍ରାରେ ଖରା ଅନୁଭୂତ ହେଉଛି । ଅସହ୍ୟ ଗରମ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ ଅଧିକ ଦାଉ ସାଧୁଛି । ବିନା ବର୍ଷା ପବନରେ ଦିନ ଦ୍ବିପ୍ରହରେ ଦୀର୍ଘ ସମୟ ପାଇଁ ବିଦ୍ୟୁତ କାଟ କରାଯାଉଛି । ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇ ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଉଚିତ ।"