ଭାବନୀପାଟଣା:ପୁଣି ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ । କଳାହାଣ୍ଡି ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଜୁନିଅର ଆସିଷ୍ଟାଣ୍ଡ ଏମ. ଦିବ୍ୟଜ୍ୟୋତି ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ମୃତ୍ୟୁ ପ୍ରମାଣପତ୍ର କରେଇ ଦେବାକୁ ଜଣଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦିବ୍ୟଜ୍ୟୋତିଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗାଁର ନିଲଝରି ନାଏକ ନିଜ ପରିବାର ୩ ଜଣଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବେଦନ କରିଥିଲେ ।
ହେଲେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଅତିରିକ୍ତ କିରାଣୀ ଏମ. ଦିବ୍ୟଜ୍ୟୋତି ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇ ଲାଞ୍ଚ ମାଗିଥିଲେ। କାମ ବାବଦରେ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଦୁଇଟି ଇନଷ୍ଟଲମେଣ୍ଟରେ ୯ ହଜାର ଲେଖାଏଁ ଦେବାକୁ ଡିଲ କରିଥିଲେ କିରାଣୀ ।
ଏହା ବି ପଢନ୍ତୁ...ଲାଞ୍ଚ ନେବାବେଳେ ଧରାପଡିଲେ ଲୋଇସିଂହା ଥାନା ଅଧିକାରୀ
ଏନେଇ ନିଲଝରି ନାଏକ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଅତିରିକ୍ତ କିରାଣୀଙ୍କୁ ଧରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଭିଜିଲାନ୍ସ ବିଭାଗ । ଅତିରିକ୍ତ କିରାଣୀ ଏମ ଦିବ୍ୟଜ୍ୟୋତି ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କ ଠାରୁ ୯ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ ।