ଭବାନୀପାଟଣା:ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି । କେତେବେଳେ ପକ୍କାଘର ପାଇଁ ଯୋଜନା ତ ପୁଣି କେତେବେଳେ ଘର ମରାମତି ପାଇଁ ଯୋଜନା ପ୍ରଣୟନ ହେଉଛି। ହେଲେ ଏସବୁ ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ । ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରି ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି ସରକାର ।
ହେଲେ ଏବେବି ଲୋକେ ଦୟନୀୟ ସ୍ଥିତିରେ କାଟୁଛନ୍ତି ଦିନ। ଏମିତି ସରକାରୀ ଯୋଜନାରେ ଅବହେଳାର ଶିକାର ହୋଇଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ପଞ୍ଚାୟତ କୋକଡ଼ମାଲ ଗାଁର ଗୌର ଓ ତାଙ୍କ ସ୍ତ୍ରୀ । ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘରଟିଏ ନଥିବାରୁ ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ଗୌର ଓ ତାଙ୍କ ପତ୍ନୀ । ପରିଣତ ବୟସରେ ପକ୍କା ଘରଟିଏ ପାଇବା ଯେମିତି ଏମାନଙ୍କ ପାଇଁ ସାତ ସପନ ପାଲଟିଛି ।
ଉଭୟ ନିଜ ବୟସ ଥିବା ବେଳେ କୁଡିଆ ଘରଟିଏ ତିଆରି କରିଥିଲେ । ହେଲେ ତାହା ଗତ 10 ବର୍ଷ ତଳେ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା । ପରିଣତ ବୟସରେ ଘର ନିର୍ମାଣ କରିବା ପାଇଁ ପାଖରେ ସମ୍ବଳ ନଥିବାରୁ ଶେଷରେ ମୁଣ୍ଡ ଉପରେ ଜରି ପାଲ ଓ ଝାଟିମାଟିରେ ଘର କରି ରହି ଆସୁଛନ୍ତି । ଉଭୟଙ୍କ ନିଜର ବୋଲି କେହି ନାହାନ୍ତି ପଡୋଶୀ କିଛି ଖାଇବାକୁ ଦେଲେ ଖାନ୍ତି ନହେଲେ ଦିନ ଦିନ ଧରି ଭୋକ ଉପାସରେ ପଡି ରହିଥାନ୍ତି ସ୍ବାମୀ ସ୍ତ୍ରୀ । ସରକାରୀ ଯୋଜନା କହିଲେ କେବଳ ୫୦୦ ସହ ଟଙ୍କା ଭତ୍ତାକୁ ୫ କେଜି ଚାଉଳ ହିଁ ସାହାରା । ଆଉ ଏ ଚିତ୍ରକୁ ଦେଖିଲେ ଲାଗୁଛି ସରକାରଙ୍କ ଯୋଜନା ସତରେ ଏମାନଙ୍କ ପାଇଁ ବାଟବଣା ହୋଇ ପଡିଛି । ଏନେଇ କେସିଙ୍ଗା ବିଡ଼ିଓଙ୍କୁ ପଚାରିବାରୁ ସେହି ଚିରାଚରିତ ଆବେଦନ କଲେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।