ଓଡିଶା

odisha

ETV Bharat / state

ମଣ୍ଡିରେ ଓଦା ହେଉଛି ଧାନ, ମାନ ଧାର୍ଯ୍ୟ ନେଇ ଚିନ୍ତାରେ ଚାଷୀ

ଅଦିନିଆ ବର୍ଷାରେ ମଣ୍ଡିରେ ଭିଜୁଛି ଧାନ । ଚିନ୍ତାରେ କଳାହାଣ୍ଡି ଚାଷୀ । ସେପଟେ କୁଇଣ୍ଟାଲ ପିଛା 6ରୁ 8 କେଜିର କଟଣୀ-ଛଟଣୀ ହେଉଥିବାରୁ ଚାଷୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି ।

By

Published : Jun 26, 2019, 12:38 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଅଦିନିଆ ବର୍ଷା ସାଜୁଛି ଚାଷୀ ପାଇଁ ମୁଣ୍ଡ ବ୍ୟଥାର କାରଣ । ମଣ୍ଡିରେ ଧାନ ବିକ୍ରି ପାଇଁ ନେଇଥିବାବେଳେ ବର୍ଷା ସେମାନଙ୍କ ପାଇଁ ଦାଉ ସାଜୁଛି । ଫଳରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଚିନ୍ତା ବଢିଛି ।ଜିଲ୍ଲାରେ ଡାଳୁଅ ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ମଣ୍ଡି ବ୍ୟବସ୍ଥା । ହେଲେ ସେହି ମଣ୍ଡିରେ ଦେଖାଦେଇଛି ବ୍ୟାପକ ଅନିୟମିତତା । ଏଠାରେ କୁଇଣ୍ଟାଲ ପିଛା 6ରୁ 8 କେଜିର କଟଣୀ-ଛଟଣୀ ହେଉଥିବାରୁ ଚିନ୍ତାରେ ଚାଷୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ପ୍ରଶାସନ ଧାନ କିଣିବା ପାଇଁ ମଣ୍ଡି ବ୍ୟବସ୍ଥା କରିଦେଇଛି ସତ କିନ୍ତୁ କିଛି ମଣ୍ଡିରେ ନାହିଁ ଆବଶ୍ୟକ ଭିତ୍ତିଭୂମି । ଫଳରେ ଧାନ ବାହାରେ ପଡିଥିବାରୁ ବର୍ଷାରେ ଓଦା ହୋଇ ଗଜା ହୋଇଯାଉଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଚାଷୀଙ୍କୁ ଆହୁରି କ୍ଷତି ସହିବାକୁ ପଡୁଛି । କଲମପୁର ବ୍ଲକର ଦାସି ଗାଁ, ଇଚ୍ଛାପୁର ଓ କଲମପୁର ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ଧାନ ବସ୍ତା । ସେପଟେ ମଣ୍ଡିକୁ କେତେବେଳେ ମିଲର୍ସ ଆସୁନି ତ ଆଉ କେତେବେଳେ ମଜୁରୀ ବୃଦ୍ଧି ଦାବିରେ ଶ୍ରମିକଙ୍କ ଆନ୍ଦୋଳନ । ଆଉ ଏସବୁ ଭିତରେ ପେଶି ହେଉଛନ୍ତି ଚାଷୀ ।

ଏପରିକି ଧାନ ବିକ୍ରି ହେଉନଥିବାରୁ ମଣ୍ଡିରେ ଦିନରାତି ଜଗି ବସୁଛନ୍ତି ଧାନ ଚାଷୀ । ଏପରି ସ୍ଥିତି ଗୋଟିଏ କି ଦୁଇଟି ମଣ୍ଡିରେ ନୁହେଁ ବଂର ଜିଲ୍ଲାର ଅଧିକାଂଶ ମଣ୍ଡିର । ତେବେ ଏପରି ଅବ୍ୟବସ୍ଥା ସମ୍ପର୍କରେ ପ୍ରଶାସନ ଅବଗତ ଅଛନ୍ତି ଓ ଏବାବଦରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ABOUT THE AUTHOR

...view details