କଳାହାଣ୍ଡି: ବର୍ତ୍ତମାନ ସମୟରେ ଶିକ୍ଷା ଏକ ବ୍ୟବସାୟ ମାଧ୍ୟମ ହୋଇଯାଇଛି । ଭଲ ଭଲ ସ୍କୁଲରେ ଆଡମିସନ ଠାରୁ ଆରମ୍ଭ କରି କୋଚିଂ ସେଣ୍ଟର ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି ଅଭିଭାବକ । ତେବେ ଏପରି ଅନେକ ପିଲା ଆଛନ୍ତି, ନା ଭଲ ସ୍କୁଲ ନା ବଡ କୋଚିଂ ସେଣ୍ଟରକୁ ଯିବା ପାଇଁ ଅର୍ଥ ଆଛି । ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଏହା ସ୍ୱପ୍ନ। ଏଭଳି ଆର୍ଥିକ ଅନଗ୍ରସର ବସ୍ତି ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛିନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ଦୀପକ ରଞ୍ଜନ ସାହୁ ଓ ତାଙ୍କ ପତ୍ନୀ ଜ୍ୟୋତି ସାହୁ। ପ୍ରାୟ ୧୦୫ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏକାଠି କରି ନିଶୁଳ୍କ ଶିକ୍ଷାଦାନ କରୁଛନ୍ତି ଏହି ଦମ୍ପତି ।
ଗରିବ ଛାତ୍ରଛାତ୍ରୀ ଟିଉସନ ଠିକ ଭାବରେ ପାଉ ନଥିବା ଯୋଗୁଁ ସ୍କୁଲ ଶିକ୍ଷା ପରେ ସେମାନଙ୍କ ପାଠର ରିଭିଜନ ପାଇଁ ସୁଯୋଗ ପାଇପାରନ୍ତି ନାହିଁ। ଗତ ନଭେମ୍ବର ୧ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀର ଆର୍ଥିକ ଅନଗ୍ରସର ଥିବା ଛାତ୍ରଛାତ୍ରୀଙ୍କୁ ଏକାଠି କରି ମାଗଣା ଟିଉସନ କରୁଛନ୍ତି । ଜୁନାଗଡ଼ ସହରର ୱାର୍ଡ ନମ୍ବର ୨ ସ୍ଵାଗତ କଲୋନିରରେ ଜ୍ୟୋତି ଗୁରୁମାଙ୍କ ଉଦ୍ୟମକ୍ରମେ ଆରମ୍ଭ ହୋଇଥିବା ନିଶୁଳ୍କ ଟିଉସନ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
ପ୍ରଥମେ ଜ୍ୟୋତି ଗୁରୁମା ଏକା ଛାତ୍ରଛାତ୍ରୀଙ୍କୁ ଟିଉସନ ମାଗଣାରେ ପଢ଼ାଉଥିଲେ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ବର୍ତ୍ତମାନ ବର୍ଷା ବାଗ, ନେହା ଧଙ୍ଗଡ଼ାମାଝୀ ଓ ପ୍ରିୟଙ୍କା ହଂସ,ରଞ୍ଜିତା ପ୍ରଧାନ ଙ୍କୁ ପାଠ ପଢ଼ାଇବା ନିମନ୍ତେ ମାସିକ ୨ହଜାର ଟଙ୍କା ଲେଖାଏ ପାରିଶ୍ରମିକ ମଧ୍ୟ ଦେଉଛନ୍ତି । ଧୀରେ ଧୀରେ ଏହି ନିଶୁଳ୍କ ଶିକ୍ଷାଦାନ କେନ୍ଦ୍ର ସହରରେ ଲୋକଙ୍କ ଦ୍ବାରା ଆଦୃତ ହେବାରେ ଲାଗିଛି ।