ଭବାନୀପାଟଣା:ଜିଲ୍ଲାବାସୀଙ୍କ ପ୍ରତୀକ୍ଷାର ଅନ୍ତ ହୋଇଛି । ଉତ୍କେଲା ବିମାନ ବନ୍ଦରକୁ ଡିଜିସିଏର ଅନୁମତି ମିଳିବା ପରେ କଳାହାଣ୍ଡିବାସୀଙ୍କ ମନରେ ଉତ୍ସାହ ଦେଖା ଦେଇଛି । କାରଣ ଯୋଗାଯୋଗ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗେଇବ କଳାହାଣ୍ଡି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦ୍ୟମରେ କଳାହାଣ୍ଡି ଜିଲ୍ଲାର ବୈପ୍ଲବିକ ପରିବର୍ତ୍ତନ ହୋଇଛି । ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ବିଶ୍ଵ ଦରବାରରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି କଳାହାଣ୍ଡି । ଆଉ ଏବେ ଏହି ଜିଲ୍ଲାରୁ ଆକାଶ ମାର୍ଗରେ ଯୋଗାଯୋଗ କରିପାରିବେ ଜିଲ୍ଲାବାସୀ। କାରଣ ଉତ୍କେଲା ବିମାନ ବନ୍ଦରରୁ ଖୁବଶୀଘ୍ର ବିମାନ ଉଡାଣ ଭରିବ ବୋଲି ଜଣାପଡ଼ିଛି । ଏହି ବିମାନ ବନ୍ଦର କାର୍ଯ୍ୟକାରୀ ହେଲେ କଳାହାଣ୍ଡି ସମେତ ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ ।
୧୯୬୨ ମସିହାରେ ସ୍ଥାପନ ହୋଇଥିଲା ଉତ୍କେଲା ଏୟାରଷ୍ଟ୍ରିପ୍ । ସେ ସମୟରେ ଏହା ୧୨ରୁ ୫୦ ସିଟ୍ ବିଶିଷ୍ଟ ଏୟାରକ୍ରାଫ୍ଟ ପାଇଁ ପ୍ରଯୁଜ୍ୟ ଥିଲା । ତେବେ ୨୦୧୬-୧୭ ମସିହାରେ ରାଜ୍ୟ ସରକାର ଉଡାନ୍ ଯୋଜନାରେ ଉତ୍କେଲା ବିମାନ ବନ୍ଦରକୁ ସାମିଲ କରିଥିଲେ। ଏନେଇ ବିମାନ ବନ୍ଦରକୁ ୩ କୋଟି ଟଙ୍କା ଅନୁଦାନ ମିଳିବା ପରେ ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ, ରନୱେ ନିର୍ମାଣ, ପାଚେରୀ, ଡ୍ରେନ, ଦୁଇ ପାର୍ଶ୍ବରେ ରାସ୍ତା, ସିଗ୍ନାଲ୍ ରୁମ, କଣ୍ଟ୍ରୋଲ ରୁମ୍, ରେଷ୍ଟ ହାଉସ ଆଦି ନିର୍ମାଣ କରାଯାଇଥିଲା । ପର୍ଯ୍ୟାୟକ୍ରମେ ଆହୁରି ଅନୁଦାନ ରାଶି ବଢିବା ପରେ ଟର୍ମିନାଲ ବିଲ୍ଡିଂ, ଟେକ୍ସି ଇନ, ଫ୍ୟୁଏଲ ଷ୍ଟେସନ ଆଦି ନିର୍ମାଣ କରାଯାଇଛି । ତେବେ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ଅନୁମତି ମିଳିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।