ଓଡିଶା

odisha

ETV Bharat / state

ମଣ୍ଡି ଆରମ୍ଭରୁ ଅବ୍ୟବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

କଳାହାଣ୍ଡି ଜିଲ୍ଲାରେ ଫେଲ ମାରିଛି ରବି ଋତୁ ସଂଗ୍ରହ ପ୍ରକ୍ରିୟା । ମଣ୍ଡି ଆରମ୍ଭରୁ ଦେଖା ଦେଇଥିବା ଅବ୍ୟବସ୍ଥା ଯୋଗୁଁ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ଅଧିକ ପଡ଼ନ୍ତୁ

By

Published : Jun 14, 2023, 9:00 AM IST

farmers protest in Kalahandi
କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ମଣ୍ଡିକୁ ସୁରୁଖୁରୁରେ ଚଳାଇବା ପାଇଁ ବିଭିନ୍ନ ସମୟରେ ବୈଠକ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ହେଲେ ସବୁ ପ୍ରଚେଷ୍ଟା ପରେ ବି ବ୍ଲୁ ପ୍ରିଣ୍ଟ ଫେଲ ମାରିଛି । ଆରମ୍ଭରୁ ଧାନ ସଂଗ୍ରହରେ ନାହିଁ ନଥିବା ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

କଳାହାଣ୍ଡି ଜିଲ୍ଲାର ରବି ଋତୁ ଧାନ ସଂଗ୍ରହକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରଶାସନ ୬୫ଟି ପେକ୍ସ୍, ୩୮ଟି ଧାନ ସଂଗ୍ରହ କେନ୍ଦ୍ର ଏବଂ ୨୨ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମୋଟ ୧୨୫ଟି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ଧାନ କିଣା ପ୍ରକ୍ରିୟାକୁ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ୨୦ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବା ନେଇ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ମଣ୍ଡି ଆରମ୍ଭରୁ ହିଁ ଚାଷୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ମଣ୍ଡି ଅବ୍ୟବସ୍ଥା ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଚାଷୀଙ୍କୁ ଆଖା ବସ୍ତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ନିୟନ୍ତ୍ରିତ ବଜାର କମିଟି କୋଟିକୋଟି ଟଙ୍କାର କମିଶନ ନେଉଛନ୍ତି । କିନ୍ତୁ ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ଧାନ ମଣ୍ଡିରେ ଚାଷୀଙ୍କୁ ବସ୍ତା ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି । ଚାଷୀ କହିଛନ୍ତି," ମଣ୍ଡିରେ ମିଳର୍ସଙ୍କ ରାଜୁତି ଚାଲୁଥିବା ବେଳେ ମିଲର୍ସ ଏଜେଣ୍ଟକୁ ପ୍ରଥମେ ଆଖା ବସ୍ତା ଯୋଗାଇ ଦିଆଯାଉଛି । ମଣ୍ଡିରେ ଚାଷୀଙ୍କ ପାଇଁ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା ନଥିବା ବେଳେ ଚାଷୀ ମଣ୍ଡିରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।"

ଏନେଇ ଆଜି କୋଟାଗାଁ ଠାରୁ ଜୁନାଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଉପରେ ଧାନ ବସ୍ତା ରଖି ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହାର ପ୍ରଭାବରେ ଜୁନାଗଡ଼କୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ଘଟଣାସ୍ଥଳରେ କଲମପୁର ତହସିଲଦାର ରୁଦ୍ରପ୍ରସାଦ ନାଏକ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ଦୁଇ ଘଣ୍ଟା ଧରି ଚାଷୀଙ୍କ ସହ ଆଲୋଚନା କରିବା ପରେ ଚାଷୀଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ସହ ସମସ୍ତ ଆବଶ୍ୟକ ଅନୁଯାୟୀ ଆଖା ବସ୍ତା ଯୋଗାଇ ଦେବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଆନ୍ଦୋଳନରୁ ଓହରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details