ଓଡିଶା

odisha

By

Published : Feb 25, 2023, 7:32 AM IST

ETV Bharat / state

ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା: ଆକାଉଣ୍ଟାଣ୍ଟ ସୁଚିସ୍ମିତାଙ୍କୁ ରିମାଣ୍ଡରେ ନେଲା ପୋଲିସ, ମୁହଁ ଖୋଲିଲେ ଅଭିଯୁକ୍ତ

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା । ଅଭିଯୁକ୍ତ ବିଇଓ ଅଫିସ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆରଙ୍କୁ ରିମାଣ୍ଡରେ ନେଲା ପୋଲିସ । ଅଧିକ ପଢନ୍ତୁ

ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା
ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ବିଇଓ ଅଫିସ ଆକାଉଣ୍ଟାଣ୍ଟଙ୍କ ଟଙ୍କା ହଡପ କରିବା ଘଟଣା । ଅଭିଯୁକ୍ତ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆରଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗୋଟିଏ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିଛି । ଦିନ ତମାମ ମାରଥନ ଜେରା ପରେ ପୋଲିସ ତାଙ୍କୁ ଜେଲ୍‌କୁ ପଠାଇ ଦେଇଛି । ତେବେ ସୁଚିସ୍ମିତା ଫେରାର ହେବା ପରେ ବନାରସରେ ଜଣେ ସମ୍ପର୍କୀୟ ଘରେ ଆତ୍ମଗୋପନ କରିଥିବା ପୋଲିସ ଜେରା ସମୟରେ ଜାଣିବାକୁ ପାଇଛି । ଏହାସହିତ ସେ ସବୁ ଟଙ୍କା ହଡ଼ପ କରିଥିବା ମଧ୍ୟ ପୋଲିସ ଆଗରେ ସ୍ବୀକାର କରିଛନ୍ତି ।

ସୂଚନା ଅନୁଯାୟୀ, ଭବାନୀପାଟଣା ବିଇଓ ଅଫିସ୍‌ର ପୂର୍ବ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ବ୍ଲକର ୧୭୧ ଜଣ ଏକ୍ସକ୍ୟାଡର ଶିକ୍ଷକଙ୍କ ସେପ୍ଟେମ୍ବର ମାସର ଦରମା ୩୯ ଲକ୍ଷ ଓ ଅନ୍ୟାନ୍ୟ ଅର୍ଥ ବାବଦକୁ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡ଼ପ କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି । ସେ ଅକ୍ଟୋବର ୬ ତାରିଖ ଦିନ ନିଜ ସ୍କୁଟିକୁ ବିଇଓ ଅଫିସରେ ରଖି ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତିଙ୍କ ସହାୟତାରେ ସଦର ଥାନା ଅଞ୍ଚଳକୁ ଯାଇଥିଲେ । ସେଠାରୁ ପୂର୍ବରୁ ଜଗି ରହିଥିବା ଗାଡ଼ିରେ ରାୟପୁର ଚାଲି ଯାଇଥିଲେ ।ରାୟପୁରରୁ ବିମାନ ଯୋଗେ ବନାରସ ଅଭିମୁଖେ ଯାଇଥିଲେ । ବନାରସରେ ତାଙ୍କର ଏକ ନିକଟ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିଲେ ସୁଚିସ୍ମିତା ।

ଜିଲ୍ଲାର ଏକ୍ସକ୍ୟାଡର ଶିକ୍ଷକମାନଙ୍କ ଦରମା ଓ ଶିକ୍ଷକଙ୍କ ବିଭିନ୍ନ ଅନୁଦାନ ହଡପ କରାଯାଇଥିବା ସମ୍ପର୍କରେ ଭବାନୀପାଟଣା ବିଇଓ ଠାକୁର ଚରଣ ସାହୁ ଟାଉନ ଥାନାରେ ଲିଖିତ ଅଭିଯାଗ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ହେବା ପୂର୍ବରୁ ସୁଚିସ୍ମିତା ସୁଆର୍ ଫେରାର ହୋଇଯାଇଥିଲେ । ପରେ କଳାହାଣ୍ଡି ଭିଜିଲାନ୍ସ ବିଭାଗର ନିଜ ଆଡୁ ମାମଲା ରୁଜୁ କରି ସୁଚିସ୍ମିତାଙ୍କ ଭବାନୀପାଟଣା ଇରିଗେସନ କଲୋନୀରେ ଥିବା ବାସଭବନକୁ ସିଲ୍ କରିଥିଲା । ବିଇଓ କାର୍ଯ୍ୟାଳୟରେ ଥିବା ତାଙ୍କର ଆଲମାରୀ ଯାଞ୍ଚ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା । ଏହି ଘଟଣାରେ ପୋଲିସ ଗତବର୍ଷ ସୁଚିସ୍ମିତା ସୁଆରଙ୍କ ଭିଣୋଇ ଗଙ୍ଗାଧର ପୂଜାରୀଙ୍କୁ ବରଗଡ଼ରୁ ଗିରଫ କରିଥିଲା ।

ପରେ ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତି ଓ ଅନ୍ୟ ଜଣେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ଗିରଫ ହୋଇଥିଲେ । ସେମାନଙ୍କୁ ଜାମିନ ମିଳିଥିବା ବେଳେ ପ୍ରାୟ ୬ ମାସରୁ ଅଧିକ ସମୟ ହେବ ମୁଖ୍ୟ ଅଭିଯୁକ୍ତ ସୁଚିସ୍ମିତା ପୋଲିସ ଓ ତଦନ୍ତକାରୀ ଭିଜିଲାନ୍ସ ବିଭାଗ ହାତରେ ଧରାଛୁଆଁ ଦେଉନଥିଲେ । ଏନେଇ ପୋଲିସ ଟିମ୍ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ସୁଚିସ୍ମିତାଙ୍କୁ ଠାବ କରିବା ପାଇଁ ଚଢ଼ାଉ କରିଥିଲେ ହେଁ ତାଙ୍କ କୌଣସି ସୁରାକ ମିଳିନଥିଲା । ହେଲେ ଗତ ୩ ଦିନ ତଳେ ନାଟକୀୟ ଢଙ୍ଗରେ ଭବାନୀପାଟଣା ଏସଡିଜେଏମ କୋର୍ଟରେ ଆତ୍ମ ଆତ୍ମ ସମର୍ପଣ କରିଥିଲେ ସୁଚିସ୍ମିତା ସୁଆର ।

ସୁଚିସ୍ମିତାଙ୍କ ଆତ୍ମ ସମର୍ପଣ ପରେ ଶୁକ୍ରବାର ସକାଳ ୧୧ଟାରେ ଭବାନୀପାଟଣା ଟାଉନ ଥାନା ପୋଲିସ ଇନ୍ସପେକ୍ଟର ରନିତାରାଣୀ ଜେଲ୍‌ରୁ ତାଙ୍କୁ ରିମାଣ୍ଡରେ ଆଣିଥିଲେ । ଦିନ ତମାମ ମାରାଥନ ଜେରା ପରେ ଅପରାହ୍ଣ ୪ଟାରେ ତାଙ୍କୁ ଜେଲ୍‌କୁ ପୁଣି ପଠାଇ ଦେଇଥିଲେ । ତେବେ ଏହି ପଚରାଉଚରା ସମୟରେ ଟଙ୍କା ହଡପ କାରନାମା ସମ୍ପର୍କରେ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି ସୁଚିସ୍ମିତା । ସେ ଏହି ଟଙ୍କା କାହାକୁ ପ୍ରଦାନ କରିଥିଲେ ଏହାର ଏକ ଲମ୍ବା ତାଲିକା ପୋଲିସକୁ ଦେବା ସହ ଏହି ଘୋଟାଲାରେ ସେ ଏକା ନୁହନ୍ତି ବରଂ ଅନେକ ଶିକ୍ଷା ବିଭାଗର ବଡ଼ ବଡ଼ ଅଧିକାରୀମାନେ ସମ୍ପୃକ୍ତ ଥିବାର ପ୍ରକାଶ କରିଥିବା ସୂଚନା ମିଳିଛି ।

ପୂର୍ବରୁ ଏହି ଘଟଣାରେ ୩ ଜଣ ସହଯୋଗୀ ଗିରଫ ହୋଇ ଜେଲରେ ଅଛନ୍ତି । ସେପଟେ ଆସନ୍ତା ସୋମବାର ଦିନ ଭିଜିଲାନ୍ସ ବିଭାଗ ସୁଚିସ୍ମିତା ସୁଆରଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ତେବେ ସୁଚିସ୍ମିତାଙ୍କ ଆତ୍ମ ସମର୍ପଣ ପରେ ଏବେ ଶିକ୍ଷା ବିଭାଗର ବଡ଼ ବଡ଼ ଅଧିକାରୀଙ୍କ ମନରେ ଛନକା ପଶିଥିବା କୁହାଯାଉଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details