କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ଗାଁ । ଏଠାରେ ବର୍ଷକ ୧୨ ମାସ ପାଣି ଚିନ୍ତା ଲାଗି ରହିଥାଏ । କାରଣ ଗାଁରେ ଅଛି ନା ନଳକୂପ ନା ପାଇପ୍ ପାଣିର ସୁବିଧା । କେବଳ ଗାଁ ମୁଣ୍ଡରେ ଥିବା ଏକମାତ୍ର ଭଙ୍ଗା ଦଦରା କୂଅ ଉପରେ ଭରସା କରନ୍ତି ,ଏହି ଗାଁର 7ଶହ ଗ୍ରାମବାସୀ । ଗାଧୋଇବା ଠାରୁ ଆରମ୍ଭ କରି ଖାଇବା ପିଇବା ପାଣି ପାଇଁ ଏହି କୂଅ ଉପରେ ସମସ୍ତେ ନିର୍ଭର କରିଥାନ୍ତି । ତେଣୁ ଗାଁ ଲୋକେ ବିଶୁଦ୍ଧ ପାଣି ଅଭାବରୁ ବର୍ଷ ତମାମ୍ ଜଳ ବାହିତ ରୋଗରେ ପୀଡିତ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।
700 ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୂଅ - drinking water
ତୋ ବିନା ଅନ୍ୟ ଗତି ନାହିଁ । ଆପଣ ଭାବୁଥିବା କାହା ବିନା କାହାର ଅନ୍ୟ ଗତି ନାହିଁ । ଆମେ କହୁଛୁ ପିଣ୍ଡାପଦର ଗାଁର ଏକମାତ୍ର ପରିତ୍ୟକ୍ତ କୂଅ ସମ୍ବନ୍ଧରେ । ଗୋଟିଏ କୂଅ ଯିଏ କଳାହାଣ୍ଡିର ପିଣ୍ଡାପଦର ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇବା ସହ ଗାଧୋଇବା ,ବାସନ ମାଜିବା ସମସ୍ତ କାମରେ ଲାଗେ । ପାଣି ବିଶୁଦ୍ଧ ନଥିଲେ ସୁଦ୍ଧା ଗ୍ରାମବାସୀ ବାଧ୍ୟ ହୋଇ ସେହି କୂଅର ପାଣିକୁ ବ୍ୟବହାର କରିଥାନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ପାଖାପାଖି 7ଶହ ଜନସଂଖ୍ୟା ବିଶିଷ୍ଟ ଏ ଗାଁରେ ପୂର୍ବରୁ ଗୋଟିଏ ହିଁ ନଳକୂପ ଥିଲା । ଏବେ ଯାହାର ଚିହ୍ନବର୍ଣ୍ଣ ନାହିଁ । ତେବେ ଗାଁରେ ପାନୀୟଜଳର ବ୍ୟବସ୍ଥା ପାଇଁ ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଫଳ ଶୂନ୍ୟ । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ବିଡିଓ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ