ଭବାନୀପାଟଣା: ଆଜିର ଶିଶୁ କାଲିର ଭବିଷ୍ୟତ । ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ଆଉ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। । ଅନେକ ପ୍ରକଳ୍ପ ହାତକୁ ନେଇ ଆଦିବାସୀ ମାନଙ୍କ କିପରି ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ ହୋଇପାରିବେ ସେ ଦିଗରେ ସରକାର ବି ବେଶ ସଚେତନ ଅଛନ୍ତି। କିନ୍ତୁ ସରଳ ଆଦିବାସୀ ମାନଙ୍କ ସରଳତାର ସୁଯୋଗ ନେଇ ବିଭିନ୍ନ ସମୟରେ ଉପାନ୍ତ ଅଞ୍ଚଳରେ ଶିଶୁ ସାଜୁଛି ଶ୍ରମିକ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳରାମପୁର ବ୍ଲକ ମହୁଲପାଟଣା ପଞ୍ଚାୟତର ଉପରଚୋବ୍ରି ଗାଁରେ।
ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହେଉଥିବା ରାସ୍ତା କାର୍ଯ୍ୟରେ ଗରିବ ନିରୀହ ଆଦିବାସୀ ନାବାଳିକା ଝିଅ ମାନଙ୍କୁ ନିୟୋଜିତ କରାଯାଇଛି। ସରକାର ଶିଶୁ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଘୋଷଣା କରିଛନ୍ତି କିନ୍ତୁ ତାହା ବାସ୍ତବତା ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଥିପାଇଁ ସରକାର ବହୁ କଟକଣା ଓ ନିୟମ ଲାଗୁ କରିଛନ୍ତି କିନ୍ତୁ ମହୁଳପାଟଣା ପଞ୍ଚାୟତର ଉପରଚୋବ୍ରି ଗାଁର ଅଣ୍ଡରାମସ୍କା ପଡା ଠାରୁ ସ୍କୁଲ ଛକ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ମନରେଗା ଯୋଜନାରେ ମାଟି ରାସ୍ତା କାମ ଚାଲିଛି । ଏହି କାର୍ଯ୍ୟରେ ସରକାରଙ୍କ ନିୟମକୁ ଉଲ୍ଲଘଂନ କରି ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ଯାହା ଆମ ଢୋଲ ପିଟା ବ୍ୟବସ୍ଥାର କାର୍ଯଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।